
ରାୟପୁର:ବିଜେପିର ଛତିଶଗଡ଼ ସାଂସଦ ଭୋଜରାଜ ନାଗ୍ଙ୍କ ମନ୍ତବ୍ୟ ‘ବର୍ଷା ବନ୍ଦ କରିବାକୁ ଲେମ୍ବୁ କାଟିବା’କୁ ନେଇ ବିରୋଧୀ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ରଖିଛି। ସାଂସଦଙ୍କ ମନ୍ତବ୍ୟକୁ ସାମାଜିକ ଗଣମାଧ୍ୟମରେ ମଧ୍ୟ ତୀବ୍ର ସମାଲୋଚନା କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି
ମଙ୍ଗଳବାର ଭୋଜରାଜ ଦାଉଣ୍ଡିଲୋହରାରେ ଏକ ସାଧାରଣ ସଭାରେ କହିଥିଲେ ଯେ, ପାଗ ଖରାପ ଥିଲା, ପ୍ରବଳ ବର୍ଷା ହେଉଥିଲା ଓ ମୁଁ ସୂଚନା ପାଇଲି ଯେ ମୁଖ୍ୟମନ୍ତ୍ରୀ ଗସ୍ତରେ ଆସିବେ। ମୁଁ ମହାଦେବଙ୍କୁ ପ୍ରାର୍ଥନା କରି ଲେମ୍ବୁ କାଟି ବର୍ଷା ବନ୍ଦ କରିଦେଲି। ସେ ବୁଦ୍ଧଦେବ ଓ ମହାଦେବଙ୍କୁ ପ୍ରାର୍ଥନା କରି ଲେମ୍ବୁ କାଟିବା ଦ୍ବାରା ବାଲୋଦ ଜିଲ୍ଲାରେ ବର୍ଷା ବନ୍ଦ କରିଦେଇଥିବା ଦାବି କରିଥିଲେ। ମଞ୍ଚରେ ସେତେବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ମଧ୍ୟ ଉପସ୍ଥିତ ଥିଲେ। ଭୋଜରାଜ ନାଗଙ୍କ ମନ୍ତବ୍ୟକୁ ନେଇ ମଞ୍ଚରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା। ତେବେ ସାଂସଦଙ୍କ ମନ୍ତବ୍ୟକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। କାଙ୍କେର୍ ବିଜେପି ସାଂସଦ ବାରମ୍ବାର ଲେମ୍ବୁ, ଝଡ଼ା-ଫୁଙ୍କା ଓ ଭୂତ-ନିର୍ବାରଣ କଥା ସମ୍ପର୍କରେ ସାର୍ବଜନୀନ ମନ୍ତବ୍ୟ ରଖି ସମାଲୋଚନାର ଶିକାର ହୋଇଛନ୍ତି।
Soil : ବିଗୁଡୁଛି ମୃତ୍ତିକା ଅବସ୍ଥା: ଅଧାରୁ ଅଧିକ ଖରାପ ସ୍ଥିତିରେ, ଜାତିସଂଘ ରିପୋର୍ଟରେ ଚେତାବନୀ
ଛତିଶଗଡ଼ କଂଗ୍ରେସ ମୁଖ୍ୟ ଦୀପକ ବୈଜ ଏହି ବୟାନକୁ ଉପହାସ କରି ନାଗଙ୍କୁ ନାଟକରେ ଲିପ୍ତ ରହିବା ଓ ଅନ୍ଧବିଶ୍ୱାସ ଓ ଭୁଲ୍ ସୂଚନା ପ୍ରସାର କରିବାର ଅଭିଯୋଗ ଆଣିଛନ୍ତି। ଯଦି ଗୋଟିଏ ଲେମ୍ବୁ କାଟି ବର୍ଷାକୁ ରୋକିପାରିବ, ତେବେ ସେ ଚିନି ମୂଲ୍ୟ ଓ ମୁଦ୍ରାସ୍ଫୀତିକୁ ମଧ୍ୟ ହ୍ରାସ କରିବା ପାଇଁ ଗୋଟିଏ ଲେମ୍ବୁ କାଟିବା ଉଚିତ୍ ବୋଲି କଟାକ୍ଷ କରି ବୈଜ କହିଛନ୍ତି। ସାଂସଦଙ୍କ ମନ୍ତବ୍ୟ ସୋସିଆଲ ମିଡିଆରେ ମଧ୍ୟ ବ୍ୟାପକ ଭାବରେ ପରିହାସ କରାଯାଇଥିଲା। ୟୁଜର୍ସମାନେ ପଚାରିଥିଲେ ଯେ, ବିଦ୍ୟୁତ ବିଲ୍, ଇନ୍ଧନ ମୂଲ୍ୟ ଓ ଘରୋଇ ଖର୍ଚ୍ଚ ହ୍ରାସ କରିବା ପାଇଁ ସମାନ ପଦ୍ଧତି ବ୍ୟବହାର କରାଯାଇପାରିବ କି?