
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଶୋଚନୀୟ ପରାଜୟ ପରଠାରୁ ଦଳ ମଧ୍ୟରେ ଆନ୍ତଃକନ୍ଦଳ ଦଳକୁ ଦୁର୍ବଳ କରିଦେଇଛି। ମମତା ବାନାର୍ଜୀ ମଧ୍ୟ ନିଜ ଦଳ ଉପରେ ଧୀରେଧୀରେ ନିୟନ୍ତ୍ରଣ ହରାଇଦେଲେଣି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଚର୍ଚ୍ଚା ହେଉଛି ଯେ ତୃଣମୂଳ କଂଗ୍ରେସ ଆଗକୁ କଂଗ୍ରେସ ଦଳ ସହ ମିଶିବାକୁ ଯାଉଛି। ଦିଲ୍ଲୀରେ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଟିଏମ୍ସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ବୈଠକ ଏବଂ ଗତକାଲି ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଏବଂ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ମଧ୍ୟରେ ବୈଠକ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। କିନ୍ତୁ ଟିଏମ୍ସି ଏହାକୁ ଖଣ୍ଡନ କରିଛି। କଂଗ୍ରେସ ଦଳ ସହ ଟିଏମ୍ସିର ମିଶ୍ରଣ କେବଳ ଏକ ଗୁଜବ ଏବଂ ଏହା ଭୁଲ୍ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଟିଏମ୍ସି ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀ ଟିଏମ୍ସି -କଂଗ୍ରେସ ମଧ୍ୟରେ ମିଶ୍ରଣକୁ ଖଣ୍ଡନ କରିଛନ୍ତି।
ଆହୁରି ପଢନ୍ତୁ ;Oman: ଓମାନ ଉପକୂଳରେ ୨୪ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆମେରିକା ଆକ୍ରମଣ କରିଥିଲା
ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧୀ ଏବଂ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ୧୦ ଜନପଥ ରୋଡ୍ରେ ହୋଇଥିବା ବୈଠକ ପାଖାପାଖି ଦେଢ଼ଘଣ୍ଟା ଚାଲିଥିଲା। ଉଭୟ ନେତା ପଶ୍ଚିମବଙ୍ଗରେ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ ଏବଂ ରାଜ୍ୟରେ ସେମାନଙ୍କ ସ୍ଥିତି ସୁଦୃଢ଼ କରିବାପାଇଁ ଟିଏମ୍ସି ଏବଂ କଂଗ୍ରେସ କିଭଳି ସମନ୍ବୟ ରକ୍ଷା କରି କାମ କରିବେ ସେଦିଗରେ ଆଲୋଚନା କରିଥିଲେ। ଉଭୟ ନେତା ମଧ୍ୟ ୨୦୨୯ ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ୩ ବର୍ଷ ପରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଟିଏମ୍ସି ଏବଂ କଂଗ୍ରେସ ଦଳ କିଭଳି ବିଜେପିକୁ କ୍ଷମତାରୁ ହଟାଇ ଇଣ୍ଡିମେଣ୍ଟକୁ ସୁଦୃଢ଼ କରିବା ଦିଗରେ ସମନ୍ବୟ ରଖି କାମ କରିବେ ସେନେଇ ଆଲୋଚନା କରିଥିଲେ।
ମଙ୍ଗଳବାର ସୋନିଆ ଏବଂ ମମତାଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। କିନ୍ତୁ ଏହି ବୈଠକରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନି। ଇଣ୍ଡି ମେଣ୍ଟ ବୈଠକରେ ମଧ୍ୟ ଉଭୟ ମମତା ଏବଂ ସୋନିଆ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଦୁଇ ଦଳ ପକ୍ଷରୁ ବୈଠକ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇନଥିବାରୁ ଆଗକୁ ସେମାନଙ୍କ ରଣନୀତି କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।