---Advertisement---

ଆପ୍‌ ନାମରେ ଅଭିଯୋଗ

April 24, 2026 4:43 PM

ଆପ୍‌ ନାମରେ ଅଭିଯୋଗ

ନୂଆଦିଲ୍ଲୀ: ଦେଶର ରାଜନୈତିକ ମାନଚିତ୍ରରେ ଆଜି ଏକ ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ା ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ବିଧିବଦ୍ଧ ଘୋଷଣା କରିଛନ୍ତି। 

ରାଜ୍ୟସଭାରେ ଉପ-ନେତା ପଦରୁ ଅବ୍ୟାହତି ଦିଆଯିବା ପରେ ଦଳ ସହ ସୃଷ୍ଟି ହୋଇଥିବା ମନାନ୍ତର ଏବେ ଏକ ବଡ଼ ରାଜନୈତିକ ବିଭାଜନର ରୂପ ନେଇଛି। ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲଙ୍କ ଉପସ୍ଥିତିରେ ରାଘବ ଚଢ଼ା ସୂଚନା ଦେଇଛନ୍ତି ଯେ, ଆପର ଦୁଇ-ତୃତୀୟାଂଶ ରାଜ୍ୟସଭା ସାଂସଦ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଜେପି ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନିଜର ଏହି ନିଷ୍ପତ୍ତିକୁ ସମର୍ଥନ କରି ରାଘବ ଚଢ଼ା କହିଛନ୍ତି ଯେ, ଯେଉଁ ଦଳକୁ ସେ ନିଜର ରକ୍ତ ଓ ଶ୍ରମ ଦେଇ ଗଢ଼ିଥିଲେ ଏବଂ ନିଜ ଯୌବନର ୧୫ ବର୍ଷ ଉତ୍ସର୍ଗ କରିଥିଲେ, ସେହି ଦଳ ଏବେ ଆଦର୍ଶ ଓ ନୈତିକତାରୁ ସମ୍ପୂର୍ଣ୍ଣ ରୂପେ ବିଚ୍ୟୁତ ହୋଇଛି। ଆମ ଆଦମୀ ପାର୍ଟି ଏବେ ଦେଶହିତ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥ ସାଧନରେ ଲିପ୍ତ ରହିଥିବା ସେ ଅଭିଯୋଗ କରିଛନ୍ତି। ବିଗତ କିଛି ବର୍ଷ ଧରି ସେ ନିଜକୁ ଏକ “ଭୁଲ୍ ଦଳରେ ଥିବା ସଠିକ୍ ବ୍ୟକ୍ତି” ବୋଲି ଅନୁଭବ କରୁଥିବା ବେଳେ ଆଜି ସେହି ଅଣନିଶ୍ୱାସୀ ପରିବେଶରୁ ମୁକ୍ତ ହୋଇ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ପଦ୍ମ ଶିବିରକୁ ବାଛିଥିବା ଦର୍ଶାଇଛନ୍ତି। ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲଙ୍କ ଭଳି ପ୍ରମୁଖ ରଣନୀତିକାର ଓ ସାଂସଦଙ୍କ ଏହି ପଳାୟନ ଆପ୍ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Raghav Chadha In BJP: ଆମ ଆଦମୀ ପାର୍ଟି ଦେଶର ମଙ୍ଗଳ ପାଇଁ ନୁହେଁ, ନିଜର ବ୍ୟକ୍ତିଗତ ଲାଭ ପାଇଁ କାମ କରୁଛି: ରାଘବ

ସଂସଦର ଉପର ସଦନରେ ଆପର ଏହି ବୃହତ ବିଭାଜନ କେଜ୍ରିୱାଲଙ୍କ କର୍ତ୍ତୃତ୍ୱ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଆଗାମୀ ଦିନରେ ଜାତୀୟ ରାଜନୀତିର ସମୀକରଣକୁ ବଦଳାଇ ଦେବା ନିଶ୍ଚିତ। ସାମ୍ବିଧାନିକ ଦଳବଦଳ ନିରୋଧୀ ଆଇନରୁ ରକ୍ଷା ପାଇବା ପାଇଁ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଏହି ମିଳିତ ସଂଖ୍ୟା ଗରିଷ୍ଠତା ବିଜେପି ପାଇଁ ରାଜ୍ୟସଭାରେ ଶକ୍ତି ବୃଦ୍ଧି କରିବାରେ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ଅପରପକ୍ଷରେ, ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ବଢୁଥିବା ଅସନ୍ତୋଷ ଏବଂ ସଂସଦୀୟ ପଦବୀକୁ ନେଇ ଚାଲିଥିବା ଅନ୍ତଃକନ୍ଦଳ ଏବେ ଏହି ଐତିହାସିକ ବିଦ୍ରୋହର ମୁଖ୍ୟ କାରଣ ସାଜିଛି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment