
ନବରଙ୍ଗପୁର (ସୁରେଶ ନାଇଡୁ): ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦଚନ୍ଦ୍ର ସାହୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ମନରେଗା ଯୋଜନା ନାରେ ଗୋଟିଏ କାମକୁ କା ୨ଥର ଲେଖାଏଁ ୪ଟି ପଞ୍ଚାୟତରେ ୧୪ ପ୍ରକଳ୍ପରେ ୧ ଦର୍ଶାଇ କୋଟି ୩୦ ଲକ୍ଷ ଟଙ୍କା ହଡ଼ପକରିଥିବା ସେ ଅଭିଯୋଗ ଆଣିଛନ୍ତି।
ଏନେଇ ଭିଜିଲାନ୍ସ ନିକଟରେ ପ୍ରକଳ୍ପ ଗୁଡିକର ଲମ୍ବା ତାଲିକା ଦେଖାଇ ତଦନ୍ତ କରିବାକୁ ଦାବି କରିଛନ୍ତି। ଆଜି ପୂର୍ବତନ ସାଂସଦ ପ୍ରଦୀପଙ୍କ ନେତୃତ୍ୱରେ ବିଜେଡି ନେତା ଉତ୍ତମ ତ୍ରିପାଠୀ ଭିଜିଲାନ୍ସ ନିକଟରେ ବିଡିଓଙ୍କ ବିରୋଧରେ ଲଖିତ ଅଭିଯୋଗ ଦାଖଲ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ନନ୍ଦାହାଣ୍ଡି ବ୍ଳକରେ ୨୦୨୨-୨୪ ମଧ୍ୟରେ ଡଙ୍ଗରଭେଜା ପଞ୍ଚାୟତରେ ୫ଟି ପ୍ରକଳ୍ପ, ନିସ୍ନାହାଣ୍ଡି ପଞ୍ଚାୟତରେ ୫ଟି, ଜଗନ୍ନାଥପୁରରେ ଗୋଟିଏ ପ୍ରକଳ୍ପ, ମେଣ୍ଡ୍ରି ପଞ୍ଚାୟତରେ ୩ଟି ପ୍ରକଳ୍ପରେ ବ୍ୟାପକ ଅନିୟମିତତା କରାଯାଇ ଟଙ୍କା ଆତ୍ମସାତ କରାଯାଇଛି।
ରାସ୍ତା, ସ୍କୁଲ ପାଚେରୀ, ବ୍ଳକ ସୌନ୍ଦର୍ଯ୍ୟକରଣ, ଉଦ୍ୟାନ, ପୋଖରୀ ସମେତ ବିଭିନ୍ନ ପ୍ରକଳ୍ପର ମିଥ୍ୟା ବିଲ୍ କରାଯାଇଛି। କେତେକ ପ୍ରକଳ୍ପର ୨ଥର ଲେଖାଏଁ ବିଲ୍ କରି ବିଡିଓ ୧ କୋଟି ୩୦ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ପ୍ରତ୍ୟେକ ପ୍ରକଳ୍ପର ଓ୍ୱାର୍କ କୋଡ୍ ସହିତ ପ୍ରକଳ୍ପର ତାଲିକା ଭିଜିଲାନ୍ସ ଡିଏସ୍ପି ଜୟଶ୍ରୀ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି।
ଆହୁରି ପଢ଼ନ୍ତୁ: Press Meet: ୩ ଅନ୍ତେବସୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ଓ କ୍ଷତିପୂରଣ ଦାବି କଲା ବିଜେଡି
ଅଭିଯୋଗପତ୍ର ଦାଖଲ ସମୟରେ ଦଳର ନଗର ସଭାପତି ପ୍ରମୋଦ ରଥ, ସରୋଜ ପାତ୍ର, ସୀମାଂଚଳ ପାଢ଼ୀ, ସୁମିତ ପୂଜାରୀ, ଭୀମହରିଜନଙ୍କ ସମେତ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏଭଳି ଅଭିଯୋଗ ସମ୍ପର୍କରେ ସେ ଜାଣିନାହାନ୍ତି, କୌଣସି ନକଲି ଏବଂ ମିଥ୍ୟା କାମ ହୋଇନଥିବ ବୋଲି କହିଛନ୍ତି ନନ୍ଦାହାଣ୍ଡି ବିଡିଓ କ୍ଷୀରୋଧ ଚନ୍ଦ୍ର ସାହୁ। ପଂଚାୟତ ଏବଂ ଗାଁରେ ଉନ୍ନୟନମୂଳକ ଯୋଜନାକୁ କାର୍ଯ୍ୟନ୍ବୟନ କରିବା ପାଇଁ କନିଷ୍ଠଯନ୍ତ୍ରୀ ଓ କ୍ଷେତ୍ର କର୍ମଚାରୀ ରହିଛନ୍ତି। ଗୋଟିଏ କାମକୁ କୌଣସି ହାଲତରେ ଦୁଇଥର ହୋଇନଥିବ, ଯଦି ଏଭଳି ଅଭିଯୋଗ ଆସୁଛି ସମସ୍ତ କର୍ମଚାରୀଙ୍କୁ ଡାକି ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରି ନିଜେ ଯାଂଚ କରିବି ବୋଲି କହିଛନ୍ତି ବିଡିଓ।