
ନୂଆଦିଲ୍ଲୀ:ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ସମ୍ବନ୍ଧିତ ୩ ବିଲ୍ ଆଜି ସଂସଦରେ ଉପସ୍ଥାପନ କରାଯାଇଛି। ଏହି ବିଲ୍କୁ ମଞ୍ଜୁରୀ ମିଳିଲେ ୨୦୨୯ର ଲୋକସଭା ନିର୍ବାଚନରୁ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ ହୋଇଯିବ। ଏଥିରେ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ , ସୀମା ନିର୍ଦ୍ଧାରଣ (ସଂଶୋଧନ) ବିଲ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ରହିଛି। ଲୋକସଭାରେ ତିନି ବିଲ୍ ଉପସ୍ଥାପନ ହେବ କି ନାହିଁ ସେ ଉପରେ ଭୋଟିଂ ହୋଇଥିଲା। ସପକ୍ଷରେ ୨୫୧ ଭୋଟ ପଡ଼ିବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିଜେପି ପକ୍ଷରୁ ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଚର୍ଚ୍ଚା ଆରମ୍ଭ କରିଥିିଲେ। ଲୋକସଭାରେ ଉପସ୍ଥାପନ ହୋଇଥିବା ତିନିଟି ବିଲ୍ ଉପରେ ୧୭ ଏପ୍ରିଲ ଅପରାହ୍ଣ ୪ଟାରେ ଭୋଟିଂ ହେବ। କଂଗ୍ରେସ ନେତା କେସି ଭେନୁଗୋପାଳ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ଡିଏମକେରୁ ଟିଆର ବାଲୁ ଗୃହରେ ଆଗତ ହେଉଥିବା ସୀମା ନିର୍ଦ୍ଧାରଣ ବିଲ୍କୁ ବିରୋଧ କରିଥିଲେ। ତେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ, ଏମାନେ ବିରୋଧ କରିବାକୁ ସ୍ଥିର କରି ଆସିଥିବାରୁ ବିରୋଧ କରୁଛନ୍ତି।
ଆହୁରି ପଢ଼ନ୍ତୁ: ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର
ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ଏହି ଅବସରରେ ଓବିସି ଓ ମୁସଲମାନ ସମ୍ପ୍ରଦାୟର ମହିଳାଙ୍କ ପାଇଁ ଅଲଗା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଏଥିରେ ସଂରକ୍ଷଣ ପାଇଁ କାହିଁକି କୌଣସି ବ୍ୟବସ୍ଥା ନାହିଁ। ଅଖିଳେଶଙ୍କ ଟିପ୍ପଣୀ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜବାବ ରଖିଥିଲେ। ଶାହ କହିଥିଲେ, ସମ୍ବିଧାନରେ ଧର୍ମ ଆଧାରରେ ସଂରକ୍ଷଣ କଥା କୁହାଯାଇନାହିଁ। ସେ ସିଧାସଳଖ କହିଥିଲେ, ମୁସଲମାନଙ୍କ ପାଇଁ ସଂରକ୍ଷଣର କୌଣସି କଥାକୁ ସରକାର ମାନିବେ ନାହିଁ। ଏହା ଉପରେ ଅଖିଳେଶ କହିଥିଲେ, ମୋ କଥା ଅସାମ୍ବିଧାନିକ କିପରି ହୋଇଗଲା? କ’ଣ ମୁସଲମାନ ମହିଳାଙ୍କୁ ମହିଳା ବୋଲି ଗ୍ରହଣ କରାଯାଏ ନାହିଁ। ଏହା ଉପରେ ଅମିତ ଶାହ କହିଥିଲେ, ଆମର କୌଣସି ଆପତ୍ତି ନାହିଁ, ଯଦି ସମାଜବାଦୀ ପାର୍ଟି ଚାହେଁ, ତେବେ ସମସ୍ତ ଟିକଟ ମୁସଲମାନ ମହିଳାଙ୍କୁ ଦେଇପାରିବ। ଅଖିଳେଶ ପୁଣି ପ୍ରଶ୍ନ କରିଥିଲେ ଯେ, ଏତେ ଶୀଘ୍ର ଏସବୁ କାହିଁକି କରାଯାଉଛି,୨୦୨୬ ଜନଗଣନା ପରେ ଜାତିଙ୍କ ସଂଖ୍ୟା ଅନୁଯାୟୀ ସୀମା ନିର୍ଦ୍ଧାରଣ କରାଯିବା କଥା। ନୂଆ ଜନଗଣନାରେ ଜାତି ପାଇଁ ଅଲଗା ସ୍ତମ୍ଭ ନଥିବା ସେ କହିଛନ୍ତି। ଏହା ଉପରେ ଅମିତ ଶାହ କହିଥିଲେ, ସମାଜବାଦୀ ପାର୍ରି ଦରକାର ପଡ଼ିଲେ ଘରର ଜାତି ମଧ୍ୟ ନିର୍ଦ୍ଧାରିତ କରି ଦେବ। ଗୃହମନ୍ତ୍ରୀ କହିଥିଲେ, ଏବେ ଘର ଗଣନା ଚାଲିଛି। ସେଥିରେ ଜାତି ପାଇଁ ସ୍ତମ୍ଭ କେଉଁଠି ଆସିବ। ଜନଗଣନା ବେଳେ ଜାତିବାଲା ସ୍ତମ୍ଭ ମଧ୍ୟ ରହିବ ବୋଲି ଶାହ କହିଥିଲେ।
ଅଖିଳେଶ କହିଥିଲେ, ଏହି ବିଲ୍କୁ ଏଥିପାଇଁ ଲାଗୁ କରାଯାଉଛି, ଯଦ୍ବାରା ଜାତି ସଂଖ୍ୟା ଆସିଲେ ଲୋକମାନେ ସଂରକ୍ଷଣ ମାଗିବେ। ସେଥିରୁ ବର୍ତ୍ତିବା ପାଇଁ ସରକାର ଏହାକୁ ଆଗୁଆ ଲାଗୁ କରିବାକୁ ଚାହଁଛନ୍ତି। ଓବିସିଙ୍କୁ ଠକିବାକୁ ସରକାର ଶୀଘ୍ର ବିଲ୍ ଆଣିଛନ୍ତି ବୋଲି ଅଖିଳେଶ କହିଥିଲେ। ସମାଜବାଦୀ ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ କହିଛନ୍ତି, ସରକାର ସମ୍ବିଧାନ ବିରୋଧରେ କାମ କରୁଛନ୍ତି। ତେଣୁ ତିନିଟି ଯାକ ବିଲ୍କୁ ପ୍ରତ୍ୟାହାର କରନ୍ତୁ। ଡିଏମକେ ସାଂସଦ ଟିଆର ବାଲୁ କହିଛନ୍ତି ଯେ, ଏହି ତିନିଟି ବିଲ୍କୁ ସାଣ୍ଡୱିଚ୍ ବିଲ୍ କହି ବିରୋଧ କରିଥିଲେ। ତାଙ୍କ ଦଳ ବିଲ୍ ବିରୋଧରେ କଳା ପତାକା ପ୍ରଦର୍ଶନ କରିବ ବୋଲି କହିଥିଲେ। ବାଚସ୍ପତି ଓମ୍ ବିର୍ଲା କହିଥିଲେ, ଆପଣ ହଳଦିଆ ପତାକା କିମ୍ବା କଳା ପତାକା ଦେଖାଇପାରିବେ। ଏହା ଗୃହ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏଆଇଏମ୍ଆଇଏମ୍ ସାଂସଦ ଅସଉଦ୍ଦିନ ଅୱେସୀ ବିଲ୍କୁ ବିରୋଧ କରିଥିଲେ। ରାଜ୍ୟସଭାରେ ବିଲ୍ ଉପରେ ଚର୍ଚ୍ଚା ପାଇଁ ୧୦ ଘଣ୍ଟା ସ୍ଥିର କରାଯାଇଛି। ରାଜ୍ୟସଭାରେ ଆସନ୍ତାକାଲି ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରହିଛି।
ଆହୁରି ପଢ଼ନ୍ତୁ: ରୁଷ, ଇରାନ ତେଲ ନେଇ ଆମେରିକା କଠୋର, ବଢ଼ାଇବନି ଆଶ୍ବସ୍ତି ମହଲତ