
ନୂଆଦିଲ୍ଲୀ: ତାମିଳନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଗୁରୁବାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ବିଲ୍ ବିରୋଧରେ ତୀବ୍ର ପ୍ରତିବାଦ କରି, ବିଲ୍ର ପ୍ରତିଲିପିକୁ ପୋଡ଼ିବା ସହ କଳା ପତାକା ଉତ୍ତେଳନ କରିଛନ୍ତି। ଏଥି ସହ ସେ ସମଗ୍ର ରାଜ୍ୟରେ ଆନୁଷ୍ଠାନିକଭାବେ ସୀମା ପୁନଃନିର୍ଦ୍ଧାରଣ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଗୁରୁବାରଠାରୁ କେନ୍ଦ୍ର ସରକାର ନିର୍ବାଚନରେ ମହିଳା ସଂରକ୍ଷଣ ଲାଗୁ କରିବାକୁ ତିନୋଟି ବିଲ୍ ଉପରେ ଆଲୋଚନା ପାଇଁ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ କରିଥିବା ଏହା ପ୍ରବଳ ଝଡ଼ର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି। ଷ୍ଟାଲିନ କହିଛନ୍ତି, ଏହା ତାମିଲ ଅଧିକାର ଓ ଭାରତୀୟ ସଂଘବାଦ ଉପରେ ଆକ୍ରମଣ। ଏମ୍.କେ. ଷ୍ଟାଲିନ୍ଙ୍କ ନେତୃତ୍ୱରେ ତାମିଳନାଡୁରେ ସୀମା ନିର୍ଦ୍ଧାରଣ ବିଲ୍ ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ନେଇଛି।
ଆହୁରି ପଢ଼ନ୍ତୁ: Employment: ନିଯୁକ୍ତି ନାଁରେ ନିର୍ଯାତନା: ତାମିଲନାଡୁରେ ବନ୍ଧା ପଡ଼ିଛନ୍ତି ୮ ଓଡ଼ିଆ ଝିଅ
ଏକ୍ସରେ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇ ଷ୍ଟାଲିନ ଲେଖିଛନ୍ତି, ବିଜେପିର ଅହଂକାର ବିରୋଧରେ ଜବାବ ଦେବା ପାଇଁ ସାରା ରାଜ୍ୟରେ ଆନ୍ଦୋଳନ କରନ୍ତୁ। ବିଜେପିର ଫାଶୀବାଦୀ ନୀତି ବିରୋଧରେ ମୁହଁତୋଡ଼ ଜବାବ ଦିଅନ୍ତୁ। ଏହାକୁ ସେ ହିନ୍ଦୀ-ବିରୋଧୀ ଆନ୍ଦୋଳନ ସହ ସମାନ୍ତରାଳ ଭାବେ ଚାଲୁ ରଖିବାକୁ ଆହ୍ବାନ ଦେଇଛନ୍ତି। ଜନସଂଖ୍ୟାଭିତ୍ତିକ ସୀମା ପୁନଃନିର୍ଦ୍ଧାରଣକୁ ବିରୋଧ କରି ତାମିଲ ରାଜ୍ୟରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି, ଯେଉଁଥିରେ ୨୦୧୧ ଜନସଂଖ୍ୟା ଆଧାରରେ ପ୍ରତ୍ୟେକ ଆସନ ସଂଖ୍ୟା ସ୍ଥିର କରିବାକୁ ପ୍ରସ୍ତାବ ରହିଛି। ପ୍ରତିବାଦର ସଂକେତ ସ୍ବରୂପ ପ୍ରତି ଘର ଆଗରେ କଳା ପତାକା ଉତ୍ତୋଳନ କରିବାକୁ ଷ୍ଟାଲିନ ଆହ୍ବାନ ଦେଇଛନ୍ତି।