
ନୂଆଦିଲ୍ଲୀ: ରବିବାର ରାହୁଲ ଗାନ୍ଧୀ ଆର୍ଏସ୍ଏସ୍ ଓ ବିଜେପିସମ୍ବିଧାନକୁ ଶେଷ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି କହିଛନ୍ତି ଯେ ସେମାନେ ଭାରତରେ ସମାନତା ଧାରଣାକୁ ବିରୋଧ କରୁଛନ୍ତି। ଏପ୍ରିଲ ୧୪ ତାରିଖରେ ଆମ୍ବେଦକର ଜୟନ୍ତୀ ପୂର୍ବରୁ ମଣ୍ଡି ହାଉସରେ ‘ରନ୍ ଫର୍ ଆମ୍ବେଡ଼କର, ରନ୍ ଫର୍ କନ୍ଷ୍ଟିଚ୍ୟୁସନ୍’ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି।
ଆମ୍ବେଦକରଙ୍କର ମୁଖ୍ୟ ବାର୍ତ୍ତା ଥିଲା ସମ୍ବିଧାନ। ସମ୍ବିଧାନ ବିନା ଆମେ ଯାହାକୁ ଭାରତ ବୋଲି କହୁଛୁ, ତାହା ହୋଇନଥାନ୍ତା। ଆଜି ଆର୍ଏସ୍ଏସ୍-ବିଜେପି ମାନସିକତା ଥିବା ଲୋକମାନେ ସମ୍ବିଧାନକୁ ଶେଷ କରିବାକୁ ଚାହୁଛନ୍ତି। ସେମାନେ ଯାହା ବି କୁହନ୍ତୁ ନା କାହିଁକି, ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ବିଧାନକୁ ଧ୍ବଂସ କରିବା କାରଣ ସେମାନେ ଚାହାନ୍ତି ନାହିଁ ଯେ ଭାରତରେ ସମସ୍ତଙ୍କୁ ସମାନ ବୋଲି ବିବେଚନା କରାଯାଉ।
ଲୋକସଭାର ବିରୋଧୀ ଦଳ ନେତା ଆହୁରି କହିଛନ୍ତି, ସେମାନେ (ଆର୍ଏସ୍ଏସ୍-ବିଜେପି) ଯାହା ବି କରନ୍ତି, ସେମାନେ ଆମ୍ବେଦକରଜୀଙ୍କ ପ୍ରତିମୂର୍ତ୍ତି ଆଗରେ ମଧ୍ୟ ମୁଣ୍ଡ ନୁଆଁଇଥାନ୍ତି, କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ସମ୍ବିଧାନକୁ ଶେଷ କରିବା। ଆମର ଉଦ୍ଦେଶ୍ୟ ହେଉଛି ସମ୍ବିଧାନର ସୁରକ୍ଷା ଓ ଏହାକୁ ମଜବୁତ କରିବା। ସାମ୍ବିଧାନିକ ମୂଲ୍ୟବୋଧର ବାର୍ତ୍ତା ସମଗ୍ର ଦେଶରେ ପହଞ୍ଚାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ: PM-Rahul: ପ୍ରଧାନମନ୍ତ୍ରୀ-ରାହୁଲ ମୁହାଁମୁହିଁ: ୧.୩୪ ମିନିଟ କଥା ହେଲେ ଦୁଇ ନେତା
ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଚାହୁ ଯେ ସମ୍ବିଧାନର ଚିନ୍ତାଧାରା ଦେଶର ପ୍ରତ୍ୟେକ କୋଣରେ ପହଞ୍ଚୁ ଏବଂ ସେଥିପାଇଁ ଆମେ ଏହି ‘ରନ୍ ଫର୍ ଆମ୍ବେଦକର, ରନ୍ ଫର୍ କନ୍ଷ୍ଟିଚ୍ୟୁସନ୍’ର ଆୟୋଜନ କରିଛୁ। ପରେ ଫେସବୁକରେ ଏକ ପୋଷ୍ଟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସର ଏସ୍ସି ବିଭାଗ ଦ୍ୱାରା ଆୟୋଜିତ ଏହି ମାରାଥନ ଆମ୍ବେଦକରଙ୍କ ଆଦର୍ଶ ପ୍ରତି ଦଳର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆଜି ଯେତେବେଳେ ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ ହେଉଛି, ଆମେ ବାବାସାହେବଙ୍କ ପରି ସମାନ ସଂକଳ୍ପ ନେଇ ପ୍ରତ୍ୟେକ ଅନ୍ୟାୟ ଓ ଭେଦଭାବ ବିରୋଧରେ ଏକଜୁଟ ହୋଇ ଲଢ଼ିବା ଆବଶ୍ୟକ। ଜୟ ଭୀମ, ଜୟ ସମ୍ବିଧାନ, ଜୟ ହିନ୍ଦ୍।