
ରାୟଗଡା/ଭୁବନେଶ୍ବର: ସିଜିମାଳି ପାହାଡ଼ରେ ହୋଇଥିବା ଖଣ୍ଡ ଯୁଦ୍ଧ ଘଟଣାରେ କଂଗ୍ରେସ ରାୟଗଡ଼ା ଜିଲ୍ଲାପାଳଙ୍କୁ ଭେଟିଥିବା ବେଳେ ରାଷ୍ଟ୍ରପତିଙ୍କ ସହାୟତା ଲୋଡ଼ିଛି ବିଜେଡି। ଏହି ଘଟଣାରେ ଗତକାଲି ପ୍ରଦେଶ କଂଗ୍ରେସ କମିଟି ଅନୁଧ୍ୟାନ କରିବାପରେ ଅଧ୍ୟକ୍ଷ ତଥା ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏବଂ ଏସପି ସ୍ବାତୀ ଏସ କୁମାରଙ୍କୁ ସାକ୍ଷାତ କରି ୪ଟି ପ୍ରମୁଖ ଦାବି ଉଲ୍ଲେଖ କରିବା ସହିତ ବେନିୟମ ଘଟଣା ଗୁଡିକ ଉପରେ ନିନ୍ଦା କରି ଦୁଇ ଫର୍ଦର ଚିଠା ପ୍ରଦାନ କରିଛନ୍ତି।
କୋରାପୁଟ ସାଂସଦ ଉଲାକାଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଦ୍ବାରା ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳ ସିଜିମାଲି ଅଞ୍ଚଳର କଣ୍ଟାମାଳ, ସାଗବାରୀ ଏବଂ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏନେଇ ଜିଲ୍ଲାପାଳ ଏବଂ ଏସପିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଆମର ଆଦିବାସୀଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି । ସମ୍ବିଧାନ ଏବଂ ପ୍ରାସଙ୍ଗିକ ଆଇନ ସମ୍ମତି ବିନା ଆଗକୁ ବଢ଼ିବାକୁ ଦେବୁ ନାହିଁ।
ଜିଲ୍ଲା ପ୍ରଶାସନ ଦ୍ବାରା ବେନିୟମ ଭାବେ ହୋଇଥିବା କାର୍ଯ୍ୟ ନିନ୍ଦା କରିବା ସହ ପ୍ରମୁଖ ୪ଟି ଦାବି ଉଲ୍ଲେଖ କରିଛନ୍ତି। ଯାହା ନିୟମଗିରି ଗ୍ରାମସଭା ପ୍ରକ୍ରିୟା ପରି, ନ୍ୟାୟିକ ତଦାରଖରେ ଏକ ନିରପେକ୍ଷ ଓ ସ୍ବଚ୍ଛ ଗ୍ରାମସଭା ପ୍ରକ୍ରିୟା ସିଜିମାଳିରେ କରାଯିବା ଉଚିତ ବୋଲି ଶ୍ରୀ ଉଲାକା କହିଛନ୍ତି। ପ୍ରକଳ୍ପ କାର୍ଯ୍ୟ ପୂର୍ବରୁ ସମସ୍ତ ବିଚାରାଧୀନ ସାମୁଦାୟିକ ଓ ବ୍ୟକ୍ତିଗତ ଜଙ୍ଗଲ ଅଧୂକାରକୁ ତୁରନ୍ତ ସ୍ବୀକୃତି ତଥା ସମାଧାନ କରାଯିବା ଏବଂ ନିରୀହ ଗ୍ରାମବାସୀଙ୍କ ବିରୁଦ୍ଧରେ ଥିବା ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରାଯିବା ଉଚିତ ବୋଲି କମିଟି ଜିଲ୍ଲାପାଳଙ୍କୁ ଅବଗତ କରିଥିଲା । ଏହି ଆଲୋଚନା ଏବଂ ଦାବିପତ୍ର ଦେବା ସମୟରେ ବିରୋଧୀ ଦଳ ନେତା ତଥା ବିଧାୟକ ରାମଚନ୍ଦ୍ର କାଡାମୁ,ରାୟଗଡା ବିଧାୟକ କାଡ୍ରାକା ଆପାଲାସ୍ବାମୀ, ବିଷମକଟକ ବିଧାୟକ ନୀଳମାଧବ ହିକକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାଜ୍ୟ କଂଗ୍ରେସ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ବରିଷ୍ଠ ନେତା ଶଙ୍କର୍ଷଣ ମଙ୍ଗରାଜୂ ପ୍ରମୁଖ ଉପସ୍ଥିତ ଥିଲେ।
ରାୟଗଡା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଭାଇ ଭଉଣୀମାନଙ୍କ ଉପରେ ପ୍ରଶାସନର ଯେଉଁ ବର୍ବରୋଚିତ କାଣ୍ଡ ଘଟଣାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି। ଏହି ଘଟଣା ସମ୍ପୂର୍ଣ୍ଣ ଅମାନବୀୟ ବୋଲି ବର୍ଣ୍ଣନା କରିବା ସହିତ ଆଦିବାସୀ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଦେଶର ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛି ବିଜେଡି। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ରାୟଗଡା ଜିଲ୍ଲା ସଭାପତି ଜଗନ୍ନାଥ ସାରକା, କୋରାପୁଟ ଜିଲ୍ଲା ସଭାପତି ଝିନ୍ନ ହିକକା ଓ ଗଣମାଧ୍ୟମ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ ସିଜିମାଳି ଅଞ୍ଚଳରେ ଆଦିବାସୀ ମାନଙ୍କ ଉପରେ ପ୍ରଶାସନ ଦ୍ୱାରା କରାଯାଇଥିବା ଅମାନବୀୟ ଓ ବର୍ବରୋଚିତ କାଣ୍ଡ ରାଜ୍ୟ ବିଜେପି ସରକାରଙ୍କ ଆଦିବାସୀ ବିରୋଧୀ ନୀତିକୁ ପ୍ରଦର୍ଷିତ କରୁଛି ବୋଲି ଅଭିଯୋଗ କରିଥିଲେ।
ଆହୁରି ପଢ଼ନ୍ତୁ: Social Works: ୨୦୦ରୁ ଊର୍ଧ୍ବ ଅଜଣା ଶବ ସତ୍କାର କଲେଣି ରାୟଗଡ଼ାର ଆଶା ବଂଶିକା
ଜଗନ୍ନାଥ ସାରକା କହିଥିଲେ, ସିଜିମାଳିରେ ଆଦିବାସୀ ମାନଙ୍କ ଉପରେ ଘଟିଥିବା ଅତ୍ୟାଚାର ଓ ଜୁଲୁମ ବିଷୟରେ ଜାଣିବା ପରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରି ଏଥିରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ସଭାପତିଙ୍କ ନିଦେ୍ର୍ଦଶକ୍ରମେ, ଦଳର ଏକ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ସ୍ଥାନୀୟ ବାସିନ୍ଦାମାନଙ୍କ କହିବା ଅନୁଯାୟୀ, ମାଇନ୍ସ କମ୍ପାନୀ ଦ୍ୱାରା ନିର୍ମିତ ହେଉଥିବା ରାସ୍ତାକୁ ନେଇ ସେମାନେ ପ୍ରତିବାଦ କରୁଥିଲେ। ପ୍ରଶାସନ ତରଫରୁ ସେମାନଙ୍କ ଉପରେ ଅତ୍ୟାଚାର ଓ ଜୁଲୁମ କରାଯାଇଥିଲା। ଆଦିବାସୀ ଭାଇ ଭଉଣୀ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଜୁଲୁମକୁ ଆମେ ତୀବ୍ର ନିନ୍ଦା କରୁଛୁ। ସ୍ଥାନୀୟ ଆଦିବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ସେମାନଙ୍କ ଉପରେ ଅତ୍ୟାଚାର ଓ ଜୁଲୁମ କରି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ନାହିଁ। ତେଣୁ ଆଦିବାସୀ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିୟମ ହିସାବରେ ଗ୍ରାମସଭା ଆୟୋଜନ କରି ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରାଯାଉ।