
କୋଲକାତା: ପଶ୍ଚିମବଙ୍ଗରେ ଆସନ୍ତା ଏପ୍ରିଲ ୨୩ ଓ ୨୯ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ତେବେ ଏବେଠୁ ରାଜ୍ୟ ରାଜନୀତିରେ କମ୍ପନ ଦେଖିବାକୁ ମିଳିଲାଣି। ତୃଣମୂଳ କଂଗ୍ରେସ (ଟିଏମ୍ସି)ର ପୂର୍ବତନ ନେତା ହୁମାୟୁନ୍ କବିର୍ଙ୍କର ବିଜେପି ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି।
ମୁସଲମାନ ଭୋଟରଙ୍କୁ ବିଜେପି ଆଡ଼କୁ ଆକର୍ଷିତ କରିବାକୁ ୧୦୦୦ କୋଟି ଟଙ୍କାର ଡିଲ୍ ହୋଇଥିବା ଅଭିଯୋଗ କରିଛି ଶାସକ ତୃଣମୂଳ କଂଗ୍ରେସ। ଟିଏମ୍ସି ପକ୍ଷରୁ ଏ ସମ୍ପର୍କିତ ଷ୍ଟିଙ୍ଗ ଅପରେସନର ଭିଡିଓ ପ୍ରକାଶ କରାଯିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ହୁମାୟୁନ୍ କବିର ପଶ୍ଚିମବଙ୍ଗର ମୁସଲମାନମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବା ସହିତ ବିଜେପି ସହିତ ତାଙ୍କର ତଥାକଥିତ ସମ୍ପର୍କ ଥିବା ଏଥିରେ କୁହାଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ଟିଏମ୍ସି ଅଭିଯୋଗ କରିଛି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାଜିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ଷଡ଼ଯନ୍ତ୍ର ରଚିଛି। ଟିଏମସି ଦ୍ୱାରା ପ୍ରସାରିତ ଭିଡିଓରେ, କବୀରଙ୍କୁ ପିଏମ୍ଓ ସହିତ ଯୋଗାଯୋଗରେ ଥିବା ଏବଂ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମେତ ବିଜେପି ଶାସିତ ରାଜ୍ୟର ନେତାମାନଙ୍କ ସହ ସମନ୍ୱୟ ସ୍ଥାପନ କରିବାକୁ ପରାମର୍ଶ ଦିଆଯାଇଥିବା କଥା କହୁଥିବା ଶୁଣିବାକୁ ମିଳିଛି। ଟିଏମ୍ସି ଦ୍ୱାରା ଉପସ୍ଥାପିତ ଭିଡିଓରେ କବୀର ମୁସଲମାନମାନଙ୍କୁ ବୋକା ବନାଇବା ସହଜ ବୋଲି କହୁଥିବାବେଳେ ବାବ୍ରୀ ମସଜିଦ ପ୍ରସଙ୍ଗର ଉଲ୍ଲେଖ ସହିତ ୨୦୦ କୋଟି ଟଙ୍କା ସେ ଆଗୁଆ ପାଇଥିବା ଅଭିଯୋଗ ମଧ୍ୟ ସାମିଲ ଅଛି। କ୍ଲିପ୍ରେ କବୀର ସଂଖ୍ୟାଲଘୁ ଭୋଟ୍କୁ ଟିଏମସିଠାରୁ ଦୂରେଇ ରଖିବା ପାଇଁ ଏକ ରଣନୀତିର ରୂପରେଖ ଦେଉଥିବା ଅଭିଯୋଗ କରାଯାଇଛି। ଟିଏମ୍ସି ଏହି ଭିଡିଓର ଯାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା କରାଇବାକୁ ଦାବି କରିଛି।
ତେବେ ଟିଏମ୍ସିର ଅଭିଯୋଗକୁ କବିର୍ ଖଣ୍ଡନ କରିଛନ୍ତି। ୨୦୧୯ ପରଠାରୁ ତାଙ୍କର କୌଣସି ବିଜେପି ନେତା ସମ୍ପର୍କ ନଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ, ଦଳର ନେତା କୁନାଲ ଘୋଷ ଓ ଫିରହାଦ ହାକିମ ଏହି ମିଥ୍ୟା ଷ୍ଟିଙ୍ଗ୍ ଅପରେସନ୍ ପଛରେ ଥିବା ସେ ଅଭିଯୋଗ କରିଛନ୍ତି। ଏଆଇ ଭିଡିଓ ଦ୍ବାରା ତାଙ୍କ ଭାବମୂର୍ତ୍ତି ଖରାପ କରାଯିବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିବା ସହିତ ମାନହାନି ମକଦ୍ଦମା ରୁଜୁ କରିବାକୁ କବିର୍ ଧମକ ଦେଇଛନ୍ତି। କବିର ମୁସଲମାନ ଭୋଟରଙ୍କୁ ଟିଏମ୍ସି ଅଭିଯୋଗ ଦ୍ବାରା ପ୍ରଭାବିତ ନହେବାକୁ କହିଛନ୍ତି। ସୂଚନାଯୋଗ୍ୟ, କବିର୍ ଗତବର୍ଷ ଟିଏମ୍ସିରୁ ନିଲମ୍ବିତ ହେବା ପରେ ଆମ୍ ଜନତା ଉନ୍ନୟନ ପାର୍ଟି (ଏଜେୟୁପି) ଦଳ ଗଠନ କରିଥିଲେ।
ଆହୁରି ପଢ଼ନ୍ତୁ: Election: ଭବାନୀପୁରରେ ପ୍ରାର୍ଥିପତ୍ର ଦାଖଲ କଲେ ମମତା ବାନାର୍ଜୀ
ତେବେ ଏହି ଭିଡିଓ ଆସିବା ପରେ ତୁରନ୍ତ ରାଜନୈତିକ ପ୍ରଭାବ ପଡ଼ିଛି। ଅସଦୁଦ୍ଦିନ ଓୱେସିଙ୍କ ନେତୃତ୍ୱାଧୀନ ଏଆଇଏମ୍ଆଇଏମ୍ କବୀରଙ୍କ ଦଳ ସହିତ ମେଣ୍ଟ ଭାଙ୍ଗି ଦେଇଛି। ଏକ ବିବୃତିରେ, ଏଆଇଏମ୍ଆଇଏମ୍ କହିଛି ଯେ, ଦଳ ମୁସଲମାନମାନଙ୍କ ଅଖଣ୍ଡତାକୁ ନେଇ ପ୍ରଶ୍ନ କରୁଥିବା ମନ୍ତବ୍ୟ ସହିତ ଜଡିତ ହୋଇପାରିବ ନାହିଁ। ଏହି ଘଟଣା ପରେ ଏଆଇଏମ୍ଆଇଏମ୍ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବ ବୋଲି ଘୋଷଣା କରିଛି।