
ନୂଆଦିଲ୍ଲୀ: ଆସାମରେ ରବିବାର କଂଗ୍ରେସ ପ୍ରବକ୍ତା ପବନ ଖେଡାଙ୍କ ଅଭିଯୋଗକୁ ନେଇ ତୀବ୍ର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଯେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀଙ୍କ ପାଖରେ ତିନିଟି ଅଲଗା ଅଲଗା ଦେଶର ପାସପୋର୍ଟ ରହିଛି। ବିଶ୍ବଶର୍ମାଙ୍କ ପତ୍ନୀ ରିନିକି ବିଶ୍ବଶର୍ମାଙ୍କ ନାଁରେ ବିଦେଶରେ ସମ୍ପତ୍ତି ଅଛି ବୋଲି କଂଗ୍ରେସ ଅଭିଯୋଗ କରିବାର କିଛି ସମୟ ପରେ ବିଶ୍ବଶର୍ମା ଏହାର ଜବାବ ଦେଇଥିଲେ।
ସେ କଂଗ୍ରେସର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ, ଏହା ରାଜନୀତି ପ୍ରଣୋଦିତ ବୋଲି କହିଥିଲେ। ବିଶ୍ବଶର୍ମା ‘ଏକ୍ସ’ରେ ଲେଖିଛନ୍ତି, ପବନ ଖେଡ଼ାଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭିତରେ ଥିବା ଭୟ ଓ ଅସ୍ଥିରତାକୁ ସୂଚାଉଛି। ବିଶ୍ବଶର୍ମା ଓ ତାଙ୍କ ପତ୍ନୀ ଆସନ୍ତା ୪୮ ଘଣ୍ଟା ଭିତରେ ଖେଡ଼ାଙ୍କ ବିରୋଧରେ ଅପରାଧିକ ଓ ମାନହାନି ମକଦ୍ଦମା ଦାୟର କରିବାକୁ ଧମକ ଦେଇଛନ୍ତି। ଖେଡ଼ାଙ୍କ ମିଥ୍ୟା ଶେଷ ସୀମାରେ ପହଞ୍ଚିଛି, ଏବେ ତାଙ୍କୁ ଜେଲ୍ ଯିବାକୁ ପଡ଼ିବ ବୋଲି ବିଶ୍ବଶର୍ମା କହିଛନ୍ତି।
ସୂଚନାଯୋଗ୍ୟ, ପବନ ଖେଡ଼ା କହିଥିଲେ, ବିଶ୍ବଶର୍ମାଙ୍କ ପତ୍ନୀ ରିନିକିଙ୍କ ପାଖରେ ୟୁଏଇ, ଇଜିପ୍ଟ ଓ ଆଣ୍ଟିଗୁଆ ଓ ବରବୁୁଡାର ପାସପୋର୍ଟ ରହିଛି। ଏହାସହିତ ରିନିକିଙ୍କର ଦୁବାଇରେ ସମ୍ପତ୍ତି ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଆମେରିକାରେ ଏକ ପଞ୍ଜିକୃତ କମ୍ପାନି ବ୍ୟୋମିଂ ରହିଛି, ଯାହାର ବଜେଟ୍ ୩୪.୬୭ ବିଲିଅନ ଡଲାର। ହୋଟେଲ ବ୍ୟବସାୟରେ ପ୍ରବେଶ କରିବାକୁ ତାଙ୍କର ଯୋଜନା ରହିଛି। ଏସବୁ ବିଶ୍ବଶର୍ମାଙ୍କ ନିର୍ବାଚନୀ ସତ୍ୟପାଠରେ ଦର୍ଶାଯାଇ ନାହିଁ ବୋଲି ଖେଡ଼ା ଅଭିଯୋଗ କରିଛନ୍ତି। ଏହାସହିତ ଭାରତରେ ଦ୍ବୈତ ନାଗରିକତା ପାଇଁ ଅନୁମତି ଅଛି କି ବୋଲି ଖେଡା ପ୍ରଶ୍ନ କରିଥିଲେ।
ଆହୁରି ପଢ଼ନ୍ତୁ: Kerala Story: କେରଳ ଷ୍ଟୋରୀରୁ ଧୂଆଁଧାର, କଂଗ୍ରେସ ଓ ବାମ ଦଳ ମିଛ କହିବାରେ ସିଦ୍ଧହସ୍ତ: ପ୍ରଧାନମନ୍ତ୍ରୀ
ହିମନ୍ତ ବିଶ୍ବଶର୍ମାଙ୍କୁ ଗିରଫ କରାଯିବା ସହିତ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରିବାକୁ ପବନ ଖେଡ଼ା ଦାବି କରିଥିଲେ। ବିଶ୍ବଶର୍ମାଙ୍କର ବିଦେଶରେ ଥିବା ଅଘୋଷିତ ସମ୍ପତ୍ତି ଭ୍ରଷ୍ଟାଚାରକୁ ସୂଚାଉଛି। ଯଦି ନିର୍ବାଚନ ଫଳାଫଳ ତାଙ୍କ ଅନୁକୂଳ ନହେବ ତାହାହେଲେ ସେ ବିଦେଶ ପଳାୟନ କରିପାରନ୍ତି ବୋଲି କଂଗ୍ରେସ ପ୍ରବକ୍ତା ଅଭିଯୋଗ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମାମଲାରେ ହସ୍ତକ୍ଷେପ କରି ଏସ୍ଆଇଟି ଗଠନ କରି ଅଭିଯୋଗର ତଦନ୍ତ କରନ୍ତୁ ବୋଲି ଖେଡା ଦାବି କରିଛନ୍ତି।