
ଭୁବନେଶ୍ୱର: ଡବଲ୍ ଇଞ୍ଜିନ୍ ଡବଲ୍ ବିକାଶ ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାରରେ ଓଡିଶାକୁ ଅଧିକ ଅନୁଦାନ ଓ ସୁବିଧା ସୁଯୋଗ ମିଳିବା ପରିବର୍ତ୍ତେ ଓଡ଼ିଶାର ହକ୍କୁ ଛଡାଇ ନିଆଯାଉଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଓଡ଼ିଶା ଦିବସ ପାଳନ ସମୟରେ ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ଓଡିଶାରେ ଥିବା ପୂର୍ବତଟ ରେଳବାଇରୁ କାଢିନେଇ ଆନ୍ଧ୍ରପ୍ରଦେଶରେ ଥିବା ଦକ୍ଷିଣତଟ ରେଳବାଇରେ ମିଶ୍ରଣ କରାଯାଇଛି। ଯାହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ରାଜ୍ୟକୁ ଡବଲ ଧୋକା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବିଜେଡ଼ି ଉପସଭାପତି ଶ୍ରୀ ନାୟକ କହିଥିଲେ ଯେ ପୂର୍ବତଟ ରେଳବାଇ ଦେଶରେ ଥିବା ସମସ୍ତ ରେଳବାଇ ଡିଭିଜନ ମଧ୍ୟରେ ସବାର୍ଧିକ ରାଜସ୍ୱ ଦେଉଥିବା ଡିଭିଜନ୍। ଆନ୍ଧ୍ରକୁ ଖୁସି କରାଇବାକୁ ଯାଇ ଓଡ଼ିଶାରେ ଥିବା ପୂର୍ବତଟ ରେଳବାଇକୁ ଦୁର୍ବଳ କରିବାକୁ ଲଗାତର ଉଦ୍ୟମ ହେଉଛି ପ୍ରାୟ ୧ ବର୍ଷ ତଳେ କୋରାପୁଟଜିଲ୍ଲା ଓ ରାୟଗଡା ଜିଲ୍ଲାର କିଛି ଅଂଶକୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଥିଲା।
ଏବେ ଓଡ଼ିଶା ଦିବସ ପାଳିତ ହେଉଥିବା ବେଳେ ପଲାସା ଓ ଇଚ୍ଛାପୁରମ୍କୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଡବଲ୍ ଇଞ୍ଜିନ୍ ସରକାର ଡବଲ୍ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପିର ନେତାମାନେ ରାଜ୍ୟ ପ୍ରତି ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସାହସ ଜୁଟାଇ ପାରୁନାହାଁନ୍ତି। ପୂର୍ବତଟ ରେଳବାଇକୁ ଲଗାତର ଭାବେ ସଙ୍କୁଚିତ କରାଯାଉଛି। ଓଡ଼ିଶାର ୨୦ ଜଣ ଲୋକସଭା ବିଜେପି ସାଂସଦ ଓ ରାଜ୍ୟର ନେତୃତ୍ୱ ମୁହଁରେ ତୁଣ୍ଡିଦେଇ ବସି ରହିଛନ୍ତି। ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି ସେମାନଙ୍କ ଭୂମିକା କ’ଣ? ଏହାଛଡା ଜଣେ ଓଡ଼ିଶାର ସାଂସଦ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଓଡ଼ିଶାର ସ୍ୱାର୍ଥକୁ ଆନ୍ଧ୍ର ପାଖରେ ବନ୍ଧା ପକାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାୟକ କହିଥିଲେ।
ଆହୁରି ପଢ଼ନ୍ତୁ: East Coast Railway ହ୍ରାସ ପାଇଲା ପୂର୍ବତଟ ରେଳପଥ ପରିସୀମା: ବାର୍ଷିକ ଆୟ ହ୍ରାସ ପାଇବ, ପ୍ରଭାବିତ ହେବ ଓଡ଼ିଶା
ବିଜେଡ଼ି ମୁଖପାତ୍ର ଡକ୍ଟର ମହାନ୍ତି କହିଥିଲେଯେ ରାଜ୍ୟରେ ଅନ୍ୟୁନ ୬ଟି ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିନାହିଁ। ସରକାର ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି। ଗ୍ରହଣ କରାଯାଇଥିବା ନିଷ୍ପତିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ସହିତ ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଥିବା ରେଳପଥଗୁଡ଼ିକୁ ଦକ୍ଷିଣ-ପୂର୍ବ ରେଳବାଇରୁ କାଢି ପୂର୍ବତଟ ରେଳବାଇରେ ମିଶ୍ରଣ କରି ଏହାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଜେଡି ଦାବି କରୁଛି ବୋଲି ଡ଼କ୍ଟର ମହାନ୍ତି କହିଛନ୍ତି।