
ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗତ ଦୁଇ ଦିନ ହେବ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପେଟ ଓ ମୂତ୍ର ସଂକ୍ରମଣ ଯୋଗୁଁ ମଙ୍ଗଳବାର ରାତି ୧୦ଟା ୨୨ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଡାକ୍ତରଖାନାରେ ତାଙ୍କ ମା’ଙ୍କ ଚିକିତ୍ସା ତଦାରଖ କରୁଛନ୍ତି। କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ରାହୁଲ କହିଛନ୍ତି ଯେ, ସେ ତାଙ୍କ ମା’ଙ୍କ ଡାକ୍ତରଖାନା କୋଠରିରେ ଏକ ଛୋଟ ସୋଫାରେ ଶୋଇଥିଲେ। ସେ ମଧ୍ୟ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଥିଲେ। ତେବେ କେରଳର ଜଣେ ନର୍ସ ତାଙ୍କ ମା’ଙ୍କର ବହୁତ ଭଲ ଯତ୍ନ ନେଉଥିଲେ, ଯାହା ତାଙ୍କୁ ଆଶ୍ୱସ୍ତି ଦେଇଥିଲା।
ଆହୁରି ପଢନ୍ତୁ- Hotel-Restaurant: ଖାଦ୍ୟ ବିଲ୍ ଉପରେ ଏଲ୍ପିଜି ଚାର୍ଜ ବେଆଇନ: କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଲେ ସରକାର
ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ବୁଧବାର ସଂସଦ ଭବନରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ରାହୁଲ ଗାନ୍ଧୀ ଯୋଗ ଦେଇ ନ ଥିଲେ। ତାଙ୍କର ନିର୍ଦ୍ଧାରିତ କେରଳ ଗସ୍ତ ମଧ୍ୟ ବାତିଲ ହୋଇଥିଲା। ତାଙ୍କ ସ୍ଥାନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଥିବା ବେଳେ ରାହୁଲ ଏହାକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଥିଲେ।
ଆହୁରି ପଢନ୍ତୁ- VoterList: ପଶ୍ଚିମବଙ୍ଗ ବୁଥ୍ରୁ ୩୪୦ ମୁସଲିମ ଭୋଟର ହଟିଲେ, ତାଲିକାରେ ବିଏଲ୍ଓ ବି ସାମିଲ
ଭିଡ଼ିଓ ବାର୍ତ୍ତାରେ ରାହୁଲ କହିଛନ୍ତି, ମାଆଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ଥିଲି। କେବଳ ଗୋଟିଏ ଜିନିଷ ମୋତେ ଆଶ୍ବସ୍ତି ଦେଇଥିଲା। କେରଳର ଜଣେ ନର୍ସ ପ୍ରତି ଘଣ୍ଟାରେ ମୋ ମା’ଙ୍କୁ ଯାଞ୍ଚ କରିବାକୁ ଆସୁଥିଲେ। ମୁଁ ଚିନ୍ତା କଲି, କେରଳର କେତେ ପୁଅ-ଝିଅ, ଭାଇ-ଭଉଣୀଙ୍କୁ କେରଳର ନର୍ସମାନେ ସେମାନଙ୍କର ସବୁଠାରୁ କଠିନ ସମୟରେ ସାନ୍ତ୍ୱନା ଦେଇଛନ୍ତି। ସକାଳୁ ସକାଳୁ ମୁଁ ତାଙ୍କୁ ପଚାରିଲି, ଆପଣ ରାତିରେ ଶୋଇଥାନ୍ତି ନା ରାତିସାରା କାମ କରନ୍ତି? ସେ କହିଲେ, ମୁଁ ରାତିସାରା କାମ କରେ। ତେଣୁ ଯେତେବେଳେ ସମଗ୍ର ବିଶ୍ୱ ଶୋଇଛି, ସେତେବେଳେ କେରଳର ମହିଳାମାନେ, କେବଳ କେରଳରେ ନୁହେଁ, ଦିଲ୍ଲୀରେ, ସାରା ଦେଶରେ ଓ ବିଶ୍ୱରେ ଲୋକଙ୍କୁ ସାନ୍ତ୍ୱନା ଦେଉଛନ୍ତି। ମୋ ପାଇଁ ଏହା ହେଉଛି କେରଳର ପରିଚୟ।
ବର୍ତ୍ତମାନ କେରଳରେ ନିର୍ବାଚନ ହେବାକୁ ଯାଉଥିବା ବେଳେ କେରଳ ନର୍ସଙ୍କ ଉପରେ ରାହୁଲଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। କେରଳ ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲ କହିଛନ୍ତି, ମୋଦୀ ଜାତୀୟ ସ୍ତରରେ ୨ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କେରଳ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୪୦ ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୧୦ ବର୍ଷ ବିତିଗଲାଣି, ସେମାନେ ଲୋକଙ୍କୁ ଗୋଟିଏ ବି ଚାକିରି ଦେଇନାହାନ୍ତି। ବିଜେପି କିମ୍ବା ଏଲ୍ଡିଏଫ୍ ଅନୁଭବ କରନ୍ତି ନାହିଁ ଯେ ସେମାନେ ଲୋକଙ୍କ ନିକଟରେ ଉତ୍ତରଦାୟୀ ଅଟନ୍ତି। ସେମାନେ ଭାବନ୍ତି ନାହିଁ ଯେ, କେରଳର ଲୋକମାନଙ୍କର ସେମାନଙ୍କୁ ପ୍ରଶ୍ନ କରିବାର ଅଧିକାର ଅଛି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସାରା ଦେଶରେ ବିରୋଧୀ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, କିନ୍ତୁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସେ ଏହାକୁ ଷଡ୍ଯନ୍ତ୍ରର ସବୁଠାରୁ ବଡ ପ୍ରମାଣ ବୋଲି କହିଛନ୍ତି।