
ଭୁବନେଶ୍ବର: କିଛି ମାସ ଧରି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଯବନିକା ପଡ଼ିଛି। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜୁ ଜନତା ଦଳ (ବିଜେଡି) ଛାଡ଼ିଛନ୍ତି। ବିଜେଡି ଛାଡ଼ିବା ସହିତ ସେ ପ୍ରାଥମିକ ସଦସ୍ୟରୁ ଦେଲେ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ପତ୍ରରେ ସେ ଲେଖିଛନ୍ତି ବ୍ୟକ୍ତିଗତ କାରଣ ଯୋଗୁଁ ଏହି ଭଳି ନିଷ୍ପତ୍ତି ନେଇଛି।
ନବୀନ ପଟ୍ଟନାୟକଙ୍କୁ ରବୀନ୍ଦ୍ର ଜେନା ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ମୋର ଇସ୍ତଫା ପତ୍ର ପ୍ରଦାନ କରୁଛି। ମୁଁ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ଦଳର ସଂଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ବରବାସୀଙ୍କ ସେବା କରି ଆସିଛି। କିନ୍ତୁ କେତେକ ବ୍ୟକ୍ତିଗତ କାରଣରୁ ଏବଂ ପରିସ୍ଥିତି ନିମନ୍ତେ ମୁଁ ଦଳରୁ ଅଲଗା ହେବାକୁ କଠିନ ନିଷ୍ପତ୍ତି ନେଇଛି। ଦଳ ସହିତ ମୋର ଦୀର୍ଘ ଦିନର ସଂପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ। ଏହି ସମୟ ମଧ୍ୟରେ ମୋତେ ମିଳିଥିବା ସମସ୍ତ ସହଯୋଗ, ସମ୍ମାନ ଏବଂ ସୁଯୋଗ ପାଇଁ ମୁଁ ରାଜ୍ୟ ନେତୃବୃନ୍ଦ, ମୋର ସକର୍ମୀ ଏବଂ ବାଲେଶ୍ବର ଜିଲ୍ଲାର ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ନିକଟରେ ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି।
ଆହୁରି ପଢ଼ନ୍ତୁ: BJD: ବିଜେଡିରେ ବବି ଅଲୋଡ଼ା! ଆଗଭଳି ଲୋଡୁନାହାନ୍ତି ସୁପ୍ରିମୋ, ଅସନ୍ତୋଷ ଝାଡ଼ିଲେଣି ସମର୍ଥକ
ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଉତ୍ତର ଓଡ଼ିଶାର ଜଣେ ଜଣାଶୁଣା ନେତା ବିଜେଡି ଛାଡ଼ିବା ନେଇ ରାଜନୀତିଜ୍ଞମାନେ ନାନା କଳ୍ପନାଜଳ୍ପନା କରୁଛନ୍ତି। ବାଲେଶ୍ବରରେ ଦିନକୁ ଦିନ ବିଜେଡିର ଗଡ଼ ଭାଙ୍ଗିବାରେ ଲାଗୁଛି। ରବୀନ୍ଦ୍ର ଜେନା ଯଦିଓ ପରବର୍ତ୍ତୀ ପଦକ୍ଷେପ କ’ଣ ନେବେ ସେକଥା କହି ନାହାନ୍ତି, ତଥାପି ବିଜେପିରେ ଯୋଗଦେଇପାନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ରବୀନ୍ଦ୍ର ଜେନା ଷୋଡ଼ଶ ଲୋକସଭା ନିର୍ବାଚନ-୨୦୧୪କୁ ବାଲେଶ୍ବରରୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ ସେ ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପରାସ୍ତ କରିଥିଲେ। ୨୦୧୯ ନିର୍ବାଚନରେ ସେ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ପରାସ୍ତ ହୋଇଥିଲେ।