
ଭଦ୍ରକ: ଆସନ୍ତା ୨୮ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଭଦ୍ରକରେ ଏକ ବଡ଼ଧରଣ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏଥିରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ତାଙ୍କର ପତ୍ନୀ ଭଦ୍ରକର ପୂର୍ବତନ ସାଂସଦ ମଂଜୁଳତା ମଣ୍ଡଳଙ୍କ ସମେତ ବିଜେଡିରୁ ଇସ୍ତଫା ଦେଇଥିବା ଶଶୀ ସାହୁ ଓ ତାଙ୍କ ପତ୍ନୀ ସୁବାସିନୀ ସାହୁ ମିଶିବେ ବୋଲି ସୂଚନା ମିଳିଛି।
ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରେ ଗତ ଦୁଇ ମାସ ତଳେ ମଣ୍ଡଳ ଦମ୍ପତି ଓ ସିମୁଳିଆର ବିଜେଡି ନେତା ଶଶୀ ସାହୁ ଓ ତାଙ୍କ ପତ୍ନୀ ସୁବାସିନୀ ସାହୁଙ୍କ ସମେତ ତାଙ୍କର ବହୁ ସମର୍ଥକ ବିଜେଡ଼ି ଦଳରୁ ଇସ୍ତଫା ଦେଇଥିଲେ। ବିଜେପିରେ ମିଶିବା ନେଇ ଏହି ନେତାମାନେ ଦୁଇ ମାସ ହେଲା ଅପେକ୍ଷାରେ ରହିଥିଲେ।
ଜୁଲାଇ ୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ। ତା’ପୂର୍ବରୁ ଆସନ୍ତା ୨୮ ତାରିଖରେ ଓଡ଼ିଶାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି।
ଏହି ମିଶ୍ରଣ ପର୍ବରେ ବହୁ ବିଜେଡି କର୍ମୀ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି। ସେଥିପାଇଁ ବିଜେପିର ଉପରସ୍ତରରେ ଆଲୋଚନା ଶେଷ ହୋଇଛି। କେନ୍ଦ୍ରୀୟ ଓ ରାଜ୍ୟ ନେତାମାନଙ୍କ ସହ ଆଲୋଚନା ଶେଷ ହେବା ପରେ ଭଦ୍ରକର ବହୁ କର୍ମୀ ଆସନ୍ତା ୨୮ ତାରିଖରେ ବିଜେପିରେ ଭୁବନେଶ୍ବରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ମୁକ୍ତି ଓ ମଞ୍ଜୁଙ୍କ ସମର୍ଥକମାନେ କହିଛନ୍ତି।