
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅପରାହ୍ଣରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ବିଜେପିର ପରିବର୍ତ୍ତନ ଯାତ୍ରା ରାଲିକୁ ସମ୍ବୋଧିତ କରିଥିଲେ। ଏହାପୂର୍ବରୁ ପରେଡ ଗ୍ରାଉଣ୍ଡଠାରୁ ୩ କିମି ଦୂର ଗିରିଶ ପାର୍କଠାରେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ।
ଏହି ଘଟଣାରେ ଦୁଇ ପକ୍ଷର ୩୦ରୁ ଅଧିକ କର୍ମୀ ଆହତ ହୋଇଛନ୍ତି। ବିଜେପି ସମର୍ଥକମାନେ କହିଛନ୍ତି ଯେ, ସେମାନେ ମୋଦୀଙ୍କ ସମର୍ଥନରେ ସ୍ଲୋଗାନ ଦେଇ ରାଲି ହେଉଥିବା ସ୍ଥାନକୁ ଯାଉଥିବା ସମୟରେ ହଠାତ୍ ସେମାନଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ଏପରିକି ସେମାନଙ୍କୁ ଗାଳିଗୁଲଜ କରାଯାଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦୁଇ ଦଳର କର୍ମୀ ପରସ୍ପର ଉପରକୁ ପଥର ମାଡ଼ କରିବା ସହିତ ନାରାବାଜି କରୁଥିଲେ। ଦୁଇ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷରେ ଅନେକ ଗାଡ଼ି ନଷ୍ଟ ହୋଇଛି। ସ୍ଥାନୀୟ ଟିଏମ୍ସି କର୍ମୀ ବିଜେପିର ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ବିଜେପି ସମର୍ଥକ ପ୍ରଥମେ ସେମାନଙ୍କ ଉପରକୁ ପଥରମାଡ଼ କରିବା ସହିତ ଗାଳିଗୁଲଜ କରିଥିଲେ।
ଆହୁରି ପଢ଼ନ୍ତୁ: Narendra Modi: ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ
ସ୍ଥାନୀୟ ଟିଏମ୍ସି ନେତାଙ୍କ ଘର ଉପରକୁ ମଧ୍ୟ ପଥର ମାଡ଼ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ଏକ ବଡ଼ ଦଳ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ରାଜ୍ୟବ୍ୟାପୀ ‘ପରିବର୍ତ୍ତନ ଯାତ୍ରା’ର ସମାପନ କାର୍ଯ୍ୟକ୍ରମକୁ ମୋଦୀ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୮,୦୦୦ କୋଟି ଟଙ୍କାର ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।