
ଜଗତସିଂହପୁର (ଶୁଭକାନ୍ତ ପଢ଼ିଆରୀ): ଆଜି ରାତି ପାହିଲେ ଅର୍ଥାତ ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଓଡ଼ିଶାର ବିଧାୟକମାନେ ବିଧାନସଭାରେ ରାଜ୍ୟସଭା ପ୍ରାର୍ଥୀ ଚୟନ କରିବେ। ଏଥି ପାଇଁ ଶାସକ ବିଜେପି ଦଳ ଏବଂ ବିରୋଧୀ ବିଜେଡି ସହିତ କଂଗ୍ରେସ ଦଳ ରଣନୀତି ପ୍ରସ୍ତୁତ କରିଛି। ରାଜନୈତିକ ଦଳମାନେ ନିଜର ବିଧାୟକମାନଙ୍କୁ ଗୁପ୍ତମନ୍ତ୍ର ଦେଉଛନ୍ତି। ଏହାରି ମଧ୍ୟରେ ବିଜେପି ବିଧାୟକ, ମନ୍ତ୍ରୀମାନେ ଶନିବାର-ରବିବାର ରାତି ପ୍ରାୟ ଗୋଟାଏରେ ପାରାଦୀପ ମେରାଇନ ଡ୍ରାଇଭରେ ଥିବା ମେ ଫେୟାର ହୋଟେଲରେ ପହଞ୍ଚିଛନ୍ତି।
ଭୁବନେଶ୍ବରରୁ ତିନୋଟି ବସରେ ଆସିଥିବା ବିଧାୟକମାନେ ମେ ଫେୟାରରେ ପହଞ୍ଚିବା ବେଳକୁ ଦଳୀୟ କର୍ମୀମାନେ ବାଜା ବଜାଇ, ବାଣ ଫୁଟାଇ ସେମାନଙ୍କୁ ସ୍ବାଗତ କରିଥିଲେ। ଏହା ପରେ ବିଧାୟକମାନଙ୍କ ବସ୍ ହୋଟେଲ ଭିତରକୁ ଯାଇଥିଲା। ବସରେ ପ୍ରାୟ ୭୦ରୁ ଅଧିକ ବିଧାୟକ ଥିବା ଜଣାପଡିଛି। ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ରୁମର ବ୍ୟବସ୍ଥା କରାଯାଇଛି। ସେହିପରି ହୋଟେଲ ନିକଟରେ ମଧ୍ଯ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବସକୁ ସ୍ବତନ୍ତ୍ର ଏସକର୍ଟ ମାଧ୍ୟମରେ ଭୁବନେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ଅଣା ଯାଇଥିଲା।
ଆହୁରି ପଢ଼ନ୍ତୁ: Rajya Sabha election: ରାଜ୍ୟସଭା ନିର୍ବାଚନ: ଗଡ଼ବଡ଼ ଥୟ, ୮ରୁ ୧୦ ବିରୋଧୀ ବିଧାୟକଙ୍କ ମତିଗତି ସନ୍ଦେହଜନକ
ରାଜ୍ୟସଭା ନିର୍ବାଚନରେ ଆଦୌ ସ୍ବାଭାବିକ ହେବନି ମତଦାନ। ବିରୋଧୀ ବିଜେଡି ଓ କଂଗ୍ରେସରେ କିଛି ଭୋଟ୍ ଗଡ଼ବଡ଼ ହେବା ଥୟ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ କିଛି ବିଧାୟକ ବାଡ଼ ଡେଇଁବେ। ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଯେପରି ପ୍ରଥମ ପସନ୍ଦରେ ମ୍ୟାଜିକ୍ ନମ୍ବର ଛୁଇଁବେ, ସେଥି ପାଇଁ ଭୁବନେଶ୍ବରଠାରୁ ନୂଆଦିଲ୍ଲୀ ଯାଏଁ ରଣନୀତି ହୋଇସାରିଛି। କଂଗ୍ରେସରେ ଗଡ଼ବଡ଼ର ସ୍ପଷ୍ଟ ଆଭାସ ମିଳିଗଲାଣି। ବିଧାୟକ ଦାଶରଥି ଗମାଙ୍ଗୋ ଦୁଇଦିନ ହେଲା କାହାରିକୁ ଧରାଛୁଆଁ ଦେଉ ନାହାନ୍ତି। ବେଙ୍ଗାଲୁରୁ ଯିବା ପାଇଁ ତାଙ୍କ ନାମ ତାଲିକାଭୁକ୍ତ ହୋଇଥିଲେ ବି ସେ ଯାଇ ନଥିଲେ। ଗତକାଲି ବିଧାନସଭା ଆସି ନଥିଲେ, ଆଉ ଆଜି ଦିନତମାମ ଗଣମାଧ୍ୟମରେ ତାଙ୍କ ନିଖୋଜ ସମ୍ପର୍କରେ ଖବର ବାଜୁଥିଲେ ମଧ୍ୟ ସେ ଆଗକୁ ଆସି ସ୍ପଷ୍ଟୀକରଣ ରଖୁ ନାହାନ୍ତି। କଂଗ୍ରେସର ସବୁ ଉପର ସ୍ତରର ନେତା ଯୋଗାଯୋଗ କରି ଆପାତତଃ ବିଫଳ ହୋଇଗଲେଣି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଏ ନେଇ ଅସହାୟତା ପ୍ରକାଶ କରୁଛନ୍ତି। ଦାଶରଥିଙ୍କ ସହ ଯୋଗାଯୋଗ ହୋଇପାରୁନି ବୋଲି ସେ ମାନିଛନ୍ତି। କିନ୍ତୁ ଦଳର ନିଷ୍ପତ୍ତିକୁ ସେ ମାନିବେ ବୋଲି ଆଶାପ୍ରକଟ କରିଛନ୍ତି।