
ଭଦ୍ରକ (ହରିହର ନାୟକ): ରାଜ୍ୟରେ ବିଜେପି ସରକାରକୁ ଆସିବା ପରଠାରୁ ବିଭିନ୍ନ କ୍ଷେତ୍ରରେ ବିକାଶ ଯାହା ହେଉନା କାହିଁକି ଦଳ ବଦଳ ପର୍ବ ଅଧିକ ଚାଲୁଛି। ବିଶେଷ କରି ଶାସକ ଦଳକୁ ଆସିବାକୁ ଅନ୍ୟ ଦଳର ନେତାମାନେ ଯୋଜନା ଚଳାଇଛନ୍ତି। ଭଦ୍ରକ ଜିଲ୍ଲାରେ ଗତ ଦୁଇ ବର୍ଷ ଭିତରେ ଅନେକ ଆମଦାନୀ ନେତାଙ୍କୁ ବିଜେପି ଦଳ ନିଜ ଦଳରେ ସାମିଲ କରିଛି। ନିକଟରେ ଦଳୀୟ ବିଶୃଙ୍ଖଳା ଦର୍ଶାଇ ଭଦ୍ରକ ଜିଲ୍ଲାର ଟାଣୁଆ ବିଜେଡି ନେତା ତଥା ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ପତ୍ନୀ ବିଜେଡିର ମହିଳା ନେତ୍ରୀ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେଡି ଦଳରୁ ନିଲମ୍ବିତ କରାଯାଇଛି। ଏହି ଦୁଇ ନେତା ବିଜେଡିରୁ ନିଲମ୍ବିତ ହେବ ପର ଠାରୁ ଭଦ୍ରକ ରାଜନୀତିରେ କମ୍ପନ ସୃଷ୍ଠି ହୋଇଛି। ଏହା ପୂର୍ବରୁ ବିଜେଡି ଛାଡ଼ି ଅନେକ ନେତା ବିଜେପିରେ ଯୋଗ ଦେଇଥିଲେ। ଅଜୟ ନାୟକ, ସୁଧାଂଶୁ ନାୟକ, ବାଣିକଲ୍ୟାଣ ମହାନ୍ତି, ରଘୁନାଥ ଲେଙ୍କା, ମଳୟ ଜେନାଙ୍କ ପରି ଅନେକ ବିଜେଡି ନେତା ଗତ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ମିଶି ଥିଲେ।
ସେହିପରି ଗତ ୩ ମାସ ତଳେ ଭଦ୍ରକ ଜିଲ୍ଲାର ୪ ବ୍ଲକର ସଭାପତି ଓ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁତ୍ର ଲୁଲୁ ସାମଲ ଓ ଜୁଲୁ ସାମଲ ବିଜେଡି ଛାଡ଼ି ବିଜେପି ଦଳରେ ସାମିଲ ହୋଇଥିଲେ। ଏହି ସମୟରୁ ଭଦ୍ରକ ରାଜନୀତିରେ ଚର୍ଚ୍ଚା ହେଉଥିଲା । ଭଦ୍ରକର ଆଉ ୪ ବଡ଼ନେତା ବିଜେଡି ଛାଡ଼ି ବିଜେପିରେ ମିଶିବେ। ଏହି ନେତାଙ୍କ ଭିତରେ ଚର୍ଚ୍ଚାରେ ଥିଲେ ବିଜେଡିର ପୂର୍ବତନ ଜିଲା ସଭାପତି ତଥା ପୂର୍ବତନ ଜିଲା ପରିଷଦ ସଭାପତି ଜଗନ୍ନାଥ ସ୍ବାଇଁ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମୁଣ୍ଡଳ, ବାସୁଦେବପୁରର ଜଣେ ଆଗଧାଡିର ବିଜେଡି ନେତାଙ୍କୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ଚର୍ଚ୍ଚା ଭିତରେ ମୁକ୍ତି ଓ ମାଞ୍ଜୁଙ୍କ ନେଇ ଭଦ୍ରକ ରାଜନୀତି ବେଶ କିଛି ଉଷ୍ମ ହୋଇଥିଲା। କେବେ ମୁକ୍ତି ଓ ମଞ୍ଜୁ ବିଜେଡି ଛାଡ଼ି ବିଜେପିରେ ମିଶିବେ ବୋଲି ସବୁ ରାଜନୈତିକ ଖଟିରେ ଚାଲିଥିଲା ଚର୍ଚ୍ଚା।
ଭଦ୍ରକ ଜିଲ୍ଲା ରାଜନୀତିରେ ମୁକ୍ତିଙ୍କର ଏକ ସ୍ବତନ୍ତ୍ର କୋଟାରି ରହିଛି। ବାସୁଦେବପୁର, ଧାମନଗର ନିର୍ବାଚନ ମଣ୍ଡଳୀ କିମ୍ବା ଭଦ୍ରକ ନିର୍ବାଚନ ମଣ୍ଡଳୀ ହେଉ ମୁକ୍ତିଙ୍କର କିଛି ନିଜସ୍ଵ ସଙ୍ଗଠନ ରହୁଛି। ଯେଉଁ ସଙ୍ଗଠନକୁ ନେଇ ମୁକ୍ତି ସବୁଠି ଚର୍ଚ୍ଚାରେ ରହୁଥିଲେ। ଏବେ ମୁକ୍ତି ଓ ତାଙ୍କ ପତ୍ନୀ ବିଜେଡି ଦଳରୁ ନିଲମ୍ବିତ ହେବା ପରେ ତାଙ୍କର ସମର୍ଥକମାନେ ମୁକ୍ତି ଓ ମଞ୍ଜୁଙ୍କ ବିଜେପିର ମିଶ୍ରଣ ପ୍ରସଙ୍ଗକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ କରିଛନ୍ତି। ଖୁବ ସିଘ୍ର ମୁକ୍ତି ଓ ମଞ୍ଜୁଙ୍କ ସମେତ ତାଙ୍କର ବହୁ ତୃଣମୂଳର ସଂଗଠକମାନେ ବିଜେଡି ଦଳ ଛାଡ଼ି ବିଜେପି ଦଳ ରେ ସାମିଲ ହେବେ ବୋଲି ଚର୍ଚା ଆରମ୍ଭ କରିଛନ୍ତି। ଶୁଣାଯାଉଛି ଆସନ୍ତା ଅକ୍ଷୟ ତୃତୀୟା ସମୟରେ ସେମାନେ ବିଜେପିରେ ଯୋଗ ଦେଇପାରନ୍ତି।
ଆହୁରି ପଢ଼ନ୍ତୁ: Bhadrak politics: କଡ଼ ଲେଉଟାଉଛି ଭଦ୍ରକ ରାଜନୀତି: ଚର୍ଚ୍ଚାରେ ୪ ବ୍ଲକ୍ ଅଧ୍ୟକ୍ଷଙ୍କ ବିଜେଡି ତ୍ୟାଗ, ପୂର୍ବଭଳି ସଂଘର୍ଷ କରୁଛି କଂଗ୍ରେସ
ମୁକ୍ତି ଓ ମଞ୍ଜୁଙ୍କ ସହ ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଞ୍ଚଳର ଜଣେ ଟାଣୁଆ ନେତା କାଳେ ବିଜେପିରେ ଯୋଗଦେବେ। ଏଭଳି ଚର୍ଚ୍ଚା ଏବେ ରାଜ୍ୟ ଠାରୁ ଆରମ୍ଭ କରି ଭଦ୍ରକ ଆଉ ବାଲେଶ୍ଵର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ମୁକ୍ତି କିନ୍ତୁ ଏହି ମିଶ୍ରଣ ପ୍ରସଙ୍ଗ ସଂପର୍କରେ କହନ୍ତି ମୁଁ ଜଣେ ତୃଣମୂଳ ସଂଗଠକ। ଜନତା ଦଳରୁ ମୋର ରାଜନୈତିକ ଜୀବନ ଆରମ୍ଭ କରିଥିଲି। ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ସ୍ତରରୁ ଲଢି ବାସୁଦେବପୁର ବ୍ଲକର ଅଧ୍ୟକ୍ଷ ହୋଇଥିଲି। ପରେ ମୋତେ ବିଜେଡି ଦଳ ତରଫରୁ ଧାନଗର ନିର୍ବାଚନ ମଣ୍ଡଳୀରେ ବିଧାୟକ ହୋଇଥିଲି। ମୋର ପତ୍ନୀ ମଞ୍ଜୁଲତା ମଣ୍ଡଳ ମଧ୍ୟ ଭଦ୍ରକ ଲୋକସଭାର ସାଂସଦ ଥିଲେ। ଆମେ ଲୋକଙ୍କ ସହିତ ଅଛୁ। ବିଜେଡି ଆମକୁ ବିନା କାରଣରେ ଦଳରୁ ନିଲମ୍ବିତ କରୁଛି।
ଆହୁରି ପଢ଼ନ୍ତୁ: Bhadrak chessboard of politics: ଭଦ୍ରକ ରାଜନୀତିର ପଶାପାଲି: ବିଜେଡିକୁ ଫଟାଇବା ପାଇଁ ପ୍ରଫୁଲଙ୍କ ଘରେ ଗୁପ୍ତ ମନ୍ତ୍ରଣା
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ବ୍ୟୋମକେଶ ରାୟଙ୍କ ଚକ୍ରାନ୍ତରେ ଆମକୁ ଦଳରୁ ନିଲମ୍ବିତ କରାଯାଇଛି। ବ୍ୟୋମକେଶ ରାୟ ବିଜେବିକୁ ଭଦ୍ରକ ଜିଲ୍ଲାରୁ ମୂଳପୋଛ କରିଦେବାକୁ ଚକ୍ରାନ୍ତ କରୁଛନ୍ତି। ତାଙ୍କର କୌଣସି ରାଜନୀତିକ ଅଭିଜ୍ଞତା ନାହିଁ। ଭଦ୍ରକ ଜିଲ୍ଲାର ବିଜେଡି ଦଳରେ ସଭାପତି ହୋଇଛନ୍ତି। କିନ୍ତୁ ତାଙ୍କର ଦଳୀୟ ସଂଗଠନ କରିବାର ଅଭିଜ୍ଞତା ନାହିଁ। ଜିଲ୍ଲାରେ କୌଣସି ନିର୍ବାଚନ ମଣ୍ଡଳୀର ରାଜନୈତିକ ଭୂଗୋଳ ତାଙ୍କୁ ଜଣାହିଁ। ତାଙ୍କର ଭଦ୍ରକରେ କିଛି ଲୋକ ସମ୍ପର୍କ ବି ନାହିଁ। ବିଜେଡି ଦଳ ଏଭଳି ନେତାଙ୍କ ଚକ୍ରାନ୍ତ ଭିତରେ ରହିଛି। ଏ ଦଳ ଭଦ୍ରକ ଜିଲ୍ଲାରେ ଡୁବିଯିବ ବୋଲି ମୁକ୍ତି ନିଜ ପ୍ରତିକ୍ରିୟାରେ ପ୍ରକାଶ କରୁଥିବା ବେକେ ଜିଲ୍ଲାର ବିକାଶ ପାଇଁ ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆମର ଅନେକ ସମୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏହାକୁ ନେଇ ଅନେକ ଲୋକ ଆକ୍ରୋଶ ରଖୁଥିଲେ। ଆମେ କେଉଁ ଦଳକୁ ଯିବୁ ସେ ସମ୍ପର୍କରେ ଲୋକଙ୍କୁ ପଚାରିବୁ। ଆମ ସମର୍ଥକମାନେ ଯାହା ନିଷ୍ପତ୍ତି ନେବେ ସେହି ଦଳକୁ ଯିବୁ। ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି ପଚାରିବାରୁ ସେ କହିଲେ ଚର୍ଚ୍ଚା ଅନେକ ହେଉଛି। କିନ୍ତୁ ଯେଉଁ ଦଳକୁ ଯିବୁ ସେ କଥା ସମୟ କହିବ। ଯେଉଁ ଦଳକୁ ଗଲେ ମଧ୍ୟ ସେଠାରେ ଲୋକଙ୍କ ପାଇଁ କାମ କରିବୁ ବୋଲି ମୁକ୍ତି ନିଜ ପ୍ରତିକ୍ରିୟାରେ କହିଥିବା ବେକେ ତେବେ ମୁକ୍ତି ଓ ମଞ୍ଜୁ ଏବେ କେଉଁ ଦଳକୁ ଯିବେ ବିଜେପି ନା କଂଗ୍ରେସ ଦଳକୁ ଯିବେ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚା ଆରମ୍ଭ ହୋଇଛି। ସମୟକୁ ଅପେକ୍ଷା ଭଦ୍ରକ ରାଜନୀତି କେଉଁ ପାଣି କୁଆଡେ ଯାଉଛି?