
ଭୁବନେଶ୍ବର (ବିଶ୍ବଜିତ ଦାଶ): ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଆଜିର ଦିନରେ ନାରୀ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଛନ୍ତି। ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ପ୍ରାୟତଃ ଅଧା ସଂଖ୍ୟା ହେଉଛନ୍ତି ମହିଳା। ରାଜନୀତିରେ ପ୍ରବଳ ଭାଗିଦାରୀ ପାଇଁ ମୋଦୀ ସରକାର ମହିଳାଙ୍କ ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍ ଆଣିଥିଲେ। କିନ୍ତୁ ସଂସଦ ଓ ବିଧାନସଭାରେ କଂଗ୍ରେସ ନାରୀଙ୍କ ପ୍ରତିନିଧିତ୍ବ ବୃଦ୍ଧି ଚାହୁଁ ନାହିଁ। କାରଣ ବିଲ୍ ପାସ୍ ହୋଇଥିଲେ ୨୭୨ ମହିଳା ସଂସଦକୁ ନିର୍ବାଚିତ ହୋଇଥାନ୍ତେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତୃଶକ୍ତିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ନେଇ ସାରିଛନ୍ତି। ସେ ଯେଉଁ କାମ କରିବା ପାଇଁ ସଂକଳ୍ପ ନେଇଥାନ୍ତି, ତାକୁ ସଫଳ କରିବାରେ ଆଦୌ ପଛଘୁଞ୍ଚା ଦେବେ ନାହିଁ। ଯେଉଁମାନେ ଆଜି ଭାବୁଛନ୍ତି ଆମେ ଏହାକୁ ରୋକି ଦେଲୁ। ସେମାନେ ତାହା ଭୁଲ୍ ବୁଝିଛନ୍ତି। ମହିଳାମାନେ ଲ’ ମେକର ହେବେ। ବିରୋଧୀମାନେ ପଛଘୁଞ୍ଚା ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ନାରୀଶକ୍ତି ବନ୍ଦନ ଅଧୀନିୟମ ୨୦୨୯ରେ ଲାଗୁ କରିବା ପାଇଁ ସଂସଦରେ ଆଇନ ଆଣିଥିଲେ। ୨୦୪୭ରେ ବିକଶିତ ଭାରତର ଗଠନ ପାଇଁ ମହିଳାମାନଙ୍କୁ ସାସାଜିକ, ଆର୍ଥିକ ଭାବରେ ସମାନ ଅଧିକାର ଦେବାର ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀମାନଙ୍କୁ ମହିଳାମାନେ ଉଚିତ ଜବାବ ଦେବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀମାନେ ମହିଳା ସଶକ୍ତିକରଣ ମୁଖା ପିନ୍ଧି କେବଳ ଭାଷଣ ଦେଉଛନ୍ତି। କିନ୍ତୁ ସଂସଦରେ ସେମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି। ଲ ମେକିଙ୍ଗ ପାଇଁ ବିରୋଧୀ ମହିଳାଙ୍କୁ ସୁଯୋଗ ଦେଉନାହାନ୍ତି। ବିରୋଧୀ ଭାବୁଛନ୍ତି ଯେ ଏହି ବିଲ୍ ଆଉ ଆସିପାରିବ ନାହିଁ। କଂଗ୍ରେସ କହିଲେ ଦୁଇ ଜଣଙ୍କୁ ବୁଝାଏ। ଜଣେ ସୋନିଆ ଗାନ୍ଧୀ ଏବଂ ଅନ୍ୟ ବ୍ୟକ୍ତି ପ୍ରିୟଙ୍କା ଗାନ୍ଧୀ। ସେହିପରି ସମାଜବାଦୀ ପାର୍ଟିର ମୁଖ୍ୟ ଡିମ୍ପଲ ଯାଦବ ମଧ୍ୟ ଏହି ବିରୋଧରେ ଥିଲେ। ଆନ୍ତରିକତାର ଅଭାବ ପାଇଁ ବିରୋଧୀ ଏହି ପରିସ୍ଥିତି କରିଛନ୍ତି।
ଆହୁରି ପଢ଼ନ୍ତୁ: ଏଚପିଭି ଟିକାକରଣ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବିଜେଡିକୁ ଉପମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍
ବିଲ୍ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ବିଜେପି ଏହି ବିରୋଧର ସ୍ବରକୁ ପାର୍ଲିଆମେଣ୍ଟରୁ ପଞ୍ଚାୟତ ଯାଏଁ ନେବ ବୋଲି କହିଛନ୍ତି। ଇଣ୍ଡି ମେଣ୍ଟରେ ମିଶି ଓଡ଼ିଶାରୁ ମଧ୍ୟ ଏହାକୁ ଯେଉଁମାନେ ବିରୋଧ କରିଛନ୍ତି ସେମାନଙ୍କୁ ମଧ୍ୟ ଉଚିତ୍ ଜବାବ୍ ଦିଆଯିବ।
‘ବିରୋଧୀଙ୍କ ଚକ୍ରାନ୍ତ ସ୍ପଷ୍ଟ ହୋଇଗଲା’
ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ଆପଣ ଶୁଣିଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ବେଦନା ଓ ମାତୃଶକ୍ତି ପ୍ରତି ତାଙ୍କ ସମବେଦନା ଥିଲା। ବିରୋଧୀଙ୍କ ଚକ୍ରାନ୍ତ ଏଥିରେ ସ୍ପଷ୍ଟ ହୋଇଗଲା। ବିରୋଧୀ ଦେଶର ମାତୃଶକ୍ତିଙ୍କ ପିଠିରେ ଛୁରୀ ଭୁସିଦେଲେ। ସମ୍ବିଧାନ ଦେଖାଇ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କଲେ ବାଂସୁରୀ। ଏହି ସମ୍ବିଧାନକୁ ସବୁବେଳେ ନେତା ପ୍ରତିପକ୍ଷ ଦେଖାଉଛନ୍ତି ତାକୁ କେବେ ପଢିନାହାନ୍ତି। ନାରୀଶକ୍ତି ବନ୍ଦନ ଅଧିନିୟମ ସେପ୍ଟେମ୍ବର ୨୦୨୩ରେ ପାରିତ ହୋଇଥିଲା, ଯାହା ବିଲରେ ପରିଣତ ହେବା ପାଇଁ ଏ ସ୍ବତନ୍ତ୍ର ଅଧିବେଶନ ଅଣାଯାଇଥିଲା। ଡିଲିମିଟେସନକୁ ନେଇ ନିଜେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କାହାର ଅଧିକାର ଏଥିରେ କ୍ଷୁର୍ଣ୍ଣ କରାଯାଇନାହିଁ। ଏହା ପରେ ମଧ୍ୟ ବିରୋଧୀ ଏହି ବିଲ୍ ଜଲଦି ଅଣାଯାଉଥିବା ଅଭିଯୋଗ କଲେ। ୪୦ବର୍ଷ ଲାଗିଗଲା ଏହାକୁ ଆଣିବାକୁ ଆପଣ କହୁଛନ୍ତି ଜଲଦି ଆସିଲା। ଏହା ଶ୍ରେୟ କିମ୍ବା କ୍ରେଡିଟ ର ଲଢ଼େଇ ନଥିଲା।