
କୋଲକାତା: ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରବିବାର ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ପାଇଁ ନିର୍ବାଚନ ପ୍ରଚାର କରି ବିଜେପିକୁ ଜୋରାଦାର ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗରେ ଆସନ୍ତା ୨୯ ତାରିଖରେ ମତଦାନ ହେବାକୁ ଥିବାବେଳେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି।
ରବିବାର ଉତ୍ତର କୋଲକାତାର ବେଲିଆଘାଟାଠାରେ ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରି କେଜ୍ରିୱାଲ କହିଛନ୍ତି, ମୁଁ ତୁମମାନଙ୍କୁ ଭେଟିବାକୁ ଦିଲ୍ଲୀରୁ ଆସିଛି। ଏହା କୌଣସି ସାଧାରଣ ନିର୍ବାଚନ ନୁହେଁ, ଏହା ଦେଶ ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାର ନିର୍ବାଚନ। ବିଜେପି ତା’ର ସମସ୍ତ ବଳ ପଶ୍ଚିମବଙ୍ଗରେ ଲଗାଇଛି। ଏହା ପଶ୍ଚିମବଙ୍ଗର ପରିଚୟ ଓ ସମ୍ମାନର ବିଷୟ। ଗଣତନ୍ତ୍ରର ସୁରକ୍ଷା ପାଇଁ ପୂରା ପଶ୍ଚିମବଙ୍ଗ ବିଜେପି, ଅମିତ ଶାହ ଓ ମୋଦୀଙ୍କୁ ଉଚିତ ଜବାବ ଦେବ। ସେମାନଙ୍କର ବଡ଼ ପରାଜୟ ଘଟିବ ବୋଲି କେଜ୍ରିୱାଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାଧୀନତାର ୭୫ ବର୍ଷ ଭିତରେ ସେ ଏପରି ଦୁର୍ବଳ ପ୍ରଧାନମନ୍ତ୍ରୀ କେବେ ଦେଖିନଥିଲେ।
ଆହୁରି ପଢ଼ନ୍ତୁ: Modi: ପଶ୍ଚିମବଙ୍ଗରେ ମମତାଙ୍କୁ ମୋଦୀଙ୍କ ତୀବ୍ର ଆକ୍ରମଣ
ଆନ୍ତର୍ଜାତିକ ମଞ୍ଚରେ ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କଥା କହି ପାରୁନାହାନ୍ତି। ବିଜେପି କେବଳ ଶସ୍ତା ରାଜନୀତି କରୁଛି ବୋଲି କେଜ୍ରିୱାଲ କହିଥିଲେ। ପୂରା ନିର୍ବାଚନ ଏସ୍ଆଇଆର୍ ଅଧୀନରେ ଲଢ଼ାଯାଉଛି। ପାଖାପାଖି ୨୭ ଲକ୍ଷ ଭୋଟରଙ୍କୁ ଭୋଟର ତାଲିକାରୁ ହଟାଯାଇଛି। ଯଦି ତୁମେ ଭୋଟ ଦେଇପାରିବ ନାହିଁ, ତେବେ ତୁମ ନାଗରିକତା ଉପରେ ପ୍ରଶ୍ନ ଉଠାଯିବ। ଯେଉଁମାନେ ଏଥିରେ ପ୍ରଭାବିତ ହୋଇଛନ୍ତି, ସେମାନେ ମମତା ଦିଦିଙ୍କ ସହିତ ମିଶି ଘରକୁ ଘର ବୁଲି ପ୍ରଚାର କରନ୍ତୁ ବୋଲି କେଜ୍ରିୱାଲ ସମସ୍ତଙ୍କୁ ନିବେଦନ କରିଥିଲେ। ଦିଲ୍ଲୀରେ ଆମେ ଯାହା ସବୁ ଭଲ କାମ କରିଥିଲୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ସେସବୁ କିଛି ବନ୍ଦ କରିଦେଇଛି ବୋଲି କେଜ୍ରିୱାଲ କହିଛନ୍ତି।