
ପାଟଣା (ମହେଶ୍ବର ପୃଷ୍ଟି): ରାଜ୍ୟଠାରୁ ଆରମ୍ଭ କରି ସମଗ୍ର ଦେଶରେ ଆଲୋଡ଼ନ ଖେଳାଇ ଦେଇଥିବା ବ୍ୟାଙ୍କକୁ କଙ୍କାଳ ବୋହିବା ଘଟଣାର ଅନୁସନ୍ଧାନ ପାଇଁ ବିଜେଡ଼ି ଟିମ୍ ଓ ଜିଲ୍ଲା ପ୍ରଶାସନ ଆଜି ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଛନ୍ତି। ପାଟଣା ବ୍ଲକ୍ର ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡାଙ୍କ ଘରେ କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ , ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାୟକ ପ୍ରମୁଖ ପହଞ୍ଚି ତାଙ୍କ ସହ ଆଲୋଚନା କରିଛନ୍ତି।
ଜିତୁଙ୍କ ପରିବାରର ଜୀବିକା ଓ ଆର୍ଥିକ ସ୍ଥିତି ସମ୍ପର୍କରେ ପ୍ରଶାସକମାନେ ତଥ୍ୟ ସଂଗ୍ରହ କରିଥିଲେ। ଜିତୁଙ୍କ ପରିବାରପାଇଁ ସହାୟତା ସମ୍ପର୍କରେ ଅଧିକାରୀ ପଚାରିଥିଲେ ହେଁ ସେ ଠିକ୍ ଭାବରେ ପ୍ରଶାସକଙ୍କୁ ଅବଗତ କରିପାରିନଥିଲେ। ତେବେ ଜିତୁଙ୍କ ପରିବାର ସ୍ଥିତି ଲକ୍ଷ୍ୟ କରି ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଛି ବୋଲି ଉପଜିଲ୍ଲାପାଳ ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି।
/filters:format(webp)/sambad/media/media_files/2026/04/29/whatsapp-image-2026-04-29-22-21-01.jpeg)
ସେହିପରି ବିଜେଡ଼ିର ଅନୁସନ୍ଧାନ ପ୍ରତିନିଧି ଦଳ ଆଜି ଜିତୁଙ୍କ ଘରେ ପହଞ୍ଚି, ତାଙ୍କ ସହିତ ଆଲୋଚନା କରିଥିଲେ। ଘଟଣା ଗଣମାଧ୍ୟମରେ ଆସିବା ପରେ ଅବିଳମ୍ବେ ବ୍ୟାଙ୍କ ଓ ପ୍ରଶାସନ ତରଫରୁ ଜିତୁଙ୍କୁ ଟଙ୍କା ଜମା ଅର୍ଥ ପ୍ରଦାନ କରିପାରିଲା। ଅଥଚ ଜଣେ ସରଳ ଆଦିବାସୀ ଜିତୁ ଯେତେବେଳେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ୁଥଲେ, ସେତେବେଳେ କାହିଁକି ତ୍ୱରିତ ପଦକ୍ଷେପ ଦିଆଯାଇନଥିଲା? ବ୍ୟାଙ୍କରୁ କଙ୍କାଳ ସହ ଜିତୁ ମୁଣ୍ଡାଙ୍କୁ ଭୁଲେଇ ଭଣ୍ଡେଇ ପୁଲିସ୍ ଘରକୁ ପଠାଇ କଙ୍କାକକୁ ପୋତି ଦେଇପାରିଲା।
ଆହୁରି ପଢ଼ନ୍ତୁ: Jitu Munda Incident ଜିତୁ ମୁଣ୍ଡା କାନ୍ଧରେ ଭଉଣୀର କଙ୍କାଳ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ
ବ୍ୟାଙ୍କରୁ ଡହ ଡହ ଖରାରେ ଜିତୁ ପୁଣି ନିଜ ଗାଁକୁ ଚାଲିଚାଲି ଫେରିଲା। ଏହି ଲଜ୍ଜାଜନକ ଓ ଅଭାବନୀୟ ଘଟଣା ପାଇଁ ବିଜେଡ଼ି ବ୍ୟାଙ୍କ କର୍ମଚାରୀ ସହିତ ପ୍ରଶାସନକୁ ଦାୟୀ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆଗାମୀ ଦିନରେ ଏଭଳି ଘଟଣାରୁ ଦୂରରେ ରହିବା ପାଇଁ ପ୍ରଶାସନ ଯତ୍ନବାନ ହେବାକୁ ବିଜେଡ଼ି ନେତାମାନେ ପରାମର୍ଶ ଦେଇଛନ୍ତି। ଏହି ବିଜେଡ଼ି ପ୍ରତିନିଧି ଦଳରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର , ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ , ପାଟଣା ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, ଆଶିଷ ଚକ୍ରବର୍ତ୍ତୀ ନେତୃବୃନ୍ଦ ସାମିଲ ହୋଇଥିଲେ।