
ନୂଆଦିଲ୍ଲୀ : ବିହାରରେ ଦଳିତ ଆରକ୍ଷଣକୁ ନେଇ ଏନ୍ଡିଏର ଦୁଇ ପ୍ରମୁଖ ନେତା ଜିତନ ରାମ ମାଂଝୀ ଓ ଚିରାଗ ପାସୱାନଙ୍କ ମଧ୍ୟରେ ମତଭେଦ ଏବେ ସାମ୍ନାକୁ ଆସିଛି । ଦଳିତ ସମୁଦାୟର ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ମଧ୍ୟରେ ପୃଥକ୍ ସଂରକ୍ଷଣ ବା ‘କୋଟା ଭିତରେ କୋଟା’ ଦାବିକୁ ନେଇ ଗତ ସପ୍ତାହରେ ଉଭୟ ନେତାଙ୍କ ମଧ୍ୟରେ ତୀବ୍ର ବାଗ୍ଯୁଦ୍ଧ ହୋଇଥିଲା । ମାଂଝୀ ମୁସାହର ସମୁଦାୟରୁ ଆସିଛନ୍ତି । ତାଙ୍କ ମତରେ ଅନୁସୂଚିତ ଜାତି ବର୍ଗର ଯେଉଁ ସମୁଦାୟଗୁଡ଼ିକ ସଂରକ୍ଷଣର ସୁଯୋଗରୁ ଏବେ ବି ବଞ୍ଚିତ, ସେମାନଙ୍କ ପାଇଁ ପୃଥକ୍ ବ୍ୟବସ୍ଥା ହେବା ଆବଶ୍ୟକ । ତାଙ୍କ ପୁଅ ତଥା ବିହାରର କ୍ଷୁଦ୍ର ଜଳସମ୍ପଦ ମନ୍ତ୍ରୀ ସନ୍ତୋଷ କୁମାର ସୁମନ ମଧ୍ୟ ଦେଶର ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷା ଦାବି କରିଛନ୍ତି । ୭୯ ବର୍ଷରେ କେଉଁ ବର୍ଗ ସଂରକ୍ଷଣର ଲାଭ ପାଇଛନ୍ତି ଏବଂ କେଉଁମାନେ ଏବେ ବି ପଛରେ ରହିଛନ୍ତି, ତାହା ଯାଞ୍ଚ କରିବାକୁ ସେ କହିଛନ୍ତି ।
ଅନ୍ୟପକ୍ଷରେ, ଚିରାଗ ପାସୱାନ ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣରେ ‘କ୍ରିମି ଲେୟର’ ବ୍ୟବସ୍ଥା ଲାଗୁ କରିବା ଦାବିକୁ ବିରୋଧ କରିଛନ୍ତି । ତାଙ୍କ କହିବା କଥା, ସଂରକ୍ଷଣ ଆର୍ଥିକ ସ୍ଥିତି ଆଧାରିତ ନୁହେଁ; ଏହା ଶତାବ୍ଦୀ ଧରି ଚାଲିଆସିଥିବା ସାମାଜିକ ବିଭେଦ, ବଞ୍ଚନା ଓ ଅସ୍ପୃଶ୍ୟତାର ସମାଧାନ ପାଇଁ ହୋଇଛି । ଏହି ବିବାଦ ପଛରେ ବିହାରରେ ଦଳିତ ନେତୃତ୍ୱକୁ ନେଇ ରାଜନୈତିକ ପ୍ରତିଯୋଗିତା ଥିବା ମତ ପ୍ରକାଶ ପାଇଛି । ରାଜନୈତିକ ବିଶ୍ଳେଷକ ନବଲ କିଶୋର ଚୌଧୁରୀଙ୍କ ମତରେ, ଉଭୟ ନେତା ଅନୁସୂଚିତ ଜାତି ସମୁଦାୟର ଭିନ୍ନ ଭିନ୍ନ ବର୍ଗକୁ ପ୍ରତିନିଧିତ୍ବ କରୁଛନ୍ତି ଏବଂ ଏନ୍ଡିଏରେ କିଏ ବଡ଼ ଦଳିତ ନେତା, ତାହା ପ୍ରମାଣ କରିବାକୁ ପ୍ରତିଯୋଗିତା ଚାଲିଛି ।
Mohan Bhagwat: ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପରେ ବଡ଼ ଶପଥ; ରୋ ଖାନ୍ନା ଓ ପ୍ରମିଳା ଜୟପାଲ ବି ସାମିଲ
ଏହି ପ୍ରସଙ୍ଗରେ ଅଗଷ୍ଟ ୨୦୨୪ର ସୁପ୍ରିମ୍କୋର୍ଟଙ୍କ ରାୟ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ୬:୧ ଅନୁପାତରେ ରାୟ ଦେଇ କୋର୍ଟ ରାଜ୍ୟଗୁଡ଼ିକୁ ସାମାଜିକ-ଆର୍ଥିକ ପଛୁଆପଣ ଓ ସରକାରୀ ଚାକିରିରେ ପ୍ରତିନିଧିତ୍ବ ଆଧାରରେ ଅନୁସୂଚିତ ଜାତି ମଧ୍ୟରେ ଉପବର୍ଗୀକରଣ କରିବାକୁ ଅନୁମତି ଦେଇଥିଲେ । ୧୫ ପ୍ରତିଶତ ଏସ୍ସି ସଂରକ୍ଷଣର ଲାଭ ସବୁଠାରୁ ପଛୁଆ ବର୍ଗ ପାଇବା ଏହାର ଉଦ୍ଦେଶ୍ୟ ।
ଏଥିସହ ଏସ୍ସି ଓ ଏସ୍ଟି ବର୍ଗରେ ‘କ୍ରିମି ଲେୟର’ ଚିହ୍ନଟ ପାଇଁ ମାନଦଣ୍ଡ ପ୍ରସ୍ତୁତ କରିବାକୁ ମଧ୍ୟ କୋର୍ଟ କହିଥିଲେ । ଏହି ଚର୍ଚ୍ଚା ମଧ୍ୟରେ ବିଜେପି ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେଉଛି । କାରଣ ଗୋଟିଏ ପଟେ ସଂରକ୍ଷଣ ବିରୋଧୀ ଦାବି ରହିଛି, ଅନ୍ୟପଟେ ସଂରକ୍ଷଣରୁ ବଞ୍ଚିତ ଦଳିତ ବର୍ଗଙ୍କ ପାଇଁ ଦାବି ରହିଛି । ଅଗଷ୍ଟ ୨୧ରେ ନୂଆଦିଲ୍ଲୀରେ ‘ରିଜର୍ଭେସନ ହଟାଓ ଆନ୍ଦୋଳନ’ ପକ୍ଷରୁ ସଂରକ୍ଷଣ ବିରୋଧରେ ପ୍ରଦର୍ଶନ ହୋଇଥିଲା । ପରେ ଏହାର ପ୍ରତିନିଧିମାନେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଆଲୋଚନା କରିଥିଲେ ।