
କୋଲକାତା : ତୃଣମୂଳ କଂଗ୍ରେସ (ଟିଏମ୍ସି)ର ରାଜ୍ୟସଭା ସାଂସଦ ନଦିମୁଲ ହକ୍ଙ୍କ ସହ ଜଡ଼ିତ ଉର୍ଦ୍ଦୁ ଖବରକାଗଜ ‘ଅଖବାର-ଏ-ମଶ୍ରିକ୍’ରେ ପ୍ରାୟ ୬୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଇଡି ଜାଣିବାକୁ ପାଇଛି । ସୋମବାର ସକାଳୁ ହକ୍ ଓ ତାଙ୍କ ଗଣମାଧ୍ୟମ ସଂସ୍ଥା ସହ ଜଡ଼ିତ କୋଲକାତା, ଦିଲ୍ଲୀ ଓ ରାଞ୍ଚିର ୭ଟି ସ୍ଥାନରେ ଚାଲିଥିବା ତଲାସି ମଙ୍ଗଳବାର ସକାଳେ ଶେଷ ହୋଇଛି । ଏହି ସମୟରେ ଇଡି ଅଧିକାରୀମାନେ ବ୍ୟାଙ୍କ କାରବାର, ଆର୍ଥିକ ଦଲିଲ ଓ ଡିଜିଟାଲ୍ ତଥ୍ୟ ଯାଞ୍ଚ କରିଛନ୍ତି ।
Raid: ୫୨୮ ବିଦେଶୀ ମଦ ସହିତ ମିନି ଟ୍ରକ୍ ଜବତ, ଚାଳକ ଅଟକ
ଇଡି ସୂତ୍ର ଅନୁଯାୟୀ, ପ୍ରାୟ ୬୦ କୋଟି ଟଙ୍କାର କାରବାରରେ ଅସଙ୍ଗତି ମିଳିଛି । ଏହି ଟଙ୍କା ପ୍ରକୃତ ବ୍ୟବସାୟିକ କାରବାରର ଅଂଶ ଥିଲା କି ଅନୌପଚାରିକ ମାଧ୍ୟମ, ବିଶେଷକରି ହାୱଲା ଜରିଆରେ ସ୍ଥାନାନ୍ତର ହୋଇଥିଲା, ତାହା ଯାଞ୍ଚ କରାଯାଉଛି । ଏଥିସହ ଟିଏମ୍ସି ସହ ଜଡ଼ିତ ଟଙ୍କାର ଗତିବିଧି ମଧ୍ୟ ଯାଞ୍ଚ ହେଉଛି । ତଲାସି ଆରମ୍ଭ ବେଳେ ହକ୍ ରାଞ୍ଚିରେ ଥିଲେ ।
ସୋମବାର ରାତିରେ ତାଙ୍କୁ କୋଲକାତା ଅଣାଯିବା ପରେ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା । କୋଲକାତାର ପାର୍କ ସର୍କସ୍ ଅଞ୍ଚଳରେ ଥିବା ଖବରକାଗଜ କାର୍ଯ୍ୟାଳୟ ସମେତ ଦିଲ୍ଲୀ ଓ ରାଞ୍ଚିର ଅନ୍ୟ ସ୍ଥାନରେ ମଧ୍ୟ ତଲାସି ହୋଇଛି । ଏହି ତଦନ୍ତ ବିଧାନନଗର ପୁଲିସ କମିସନରେଟ୍ରେ ରୁଜୁ ଏଫ୍ଆଇଆର୍ ଆଧାରରେ ଇଡି ଦ୍ୱାରା ମାମଲା ରୁଜୁ ପରେ ଆରମ୍ଭ ହୋଇଛି । ଏଯାବତ୍ ଏହି ମାମଲାରେ ଇଡି କାହାକୁ ଗିରଫ କରିନାହିଁ ।