---Advertisement---

କେବଳ ଏକ୍ସସାଇଜ୍ ଦର ହ୍ରାସ ପର୍ଯ୍ୟାପ୍ତ ନୁହେଁ: ବିଜେଡି

March 27, 2026 9:37 PM

କେବଳ ଏକ୍ସସାଇଜ୍ ଦର ହ୍ରାସ ପର୍ଯ୍ୟାପ୍ତ ନୁହେଁ: ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ ଓ ଡିଜେଲର ଏକ୍ସସାଇଜ ଦରରେ ଲିଟର ପ୍ରତି ଦଶ ଟଙ୍କା ହ୍ରାସ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ବିଜୁ ଜନତା ଦଳ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ଲାଗୁ କରିଥିବା ଭାଟ୍କୁ ହ୍ରାସ କରିବା ପାଇଁ ଦାବି ରଖିଛି।  

ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ସମ୍ପ୍ରତି ଇସ୍ରାଏଲ, ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ସମଗ୍ର ବିଶ୍ୱରେ ଇନ୍ଧନ ସଙ୍କଟ ଦେଖା ଦେଇଛି, ଯାହାକୁ ନେଇ ଜନସାଧାରଣ ମନରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମିଳିବା ନେଇ ସନେ୍ଦହ ସୃଷ୍ଟି ହୋଇଛି। ଯଦିଓ ସରକାରଙ୍କ ତରଫରୁ ବାରମ୍ୱାର ସଙ୍କଟ ସ୍ଥିତି ଆସିନାହିଁ ବୋଲି ସୂଚନା ଦିଆଯାଉଛି, ତଥାପି  ଏହା ଜନସାଧାରଣଙ୍କ ମନରୁ ସନେ୍ଦହ ଦୂର କରିପାରି ନାହିଁ। ଏହି ପରିସ୍ଥିତିରେ, କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲର ଏକ୍ସସାଇଜ ଦର ଉପରେ ପ୍ରତି ଲିଟର ଦଶ ଟଙ୍କା କମାଇଛନ୍ତି। କିନ୍ତୁ, କେଉଁ ପରିପ୍ରେକ୍ଷୀରେ ଏକ୍ସସାଇଜ ଦର କମାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପେଟ୍ରୋଲ ଓ ଡିଜେଲ ମିଳିବାରେ ସମସ୍ୟା ଦେଖା ଦେଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଦରବୃଦ୍ଧି ହେଲେ ଜନ ଆକ୍ରୋଶରୁ ରକ୍ଷା ପାଇବା ଉଦେ୍ଦଶ୍ୟରେ ସମ୍ଭବତଃ ସରକାର ପୂର୍ବରୁ ଏକ୍ସସାଇଜ ଦର ହ୍ରାସ କରିଛନ୍ତି ବୋଲି କୁହାଯାଉଛି। ବର୍ତ୍ତମାନ ଇନ୍ଧନ ଯୋଗାଣରେ ବ୍ୟାହତ ନହେବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହୋଇଛି।  

ଡ଼ ମହାନ୍ତି କହିଛନ୍ତି, କେନ୍ଦ୍ର ସରକାରଙ୍କ ଏକ୍ସସାଇଜ ଦର ହ୍ରାସ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିବା, କେବଳ ଏକ ଚିରାଚରିତ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯଦି ରାଜ୍ୟବାସୀଙ୍କୁ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସୁରୁଖୁରୁରେ ଯୋଗାଇ ଦେବା ପାଇଁ ତତ୍ପର ଅଛନ୍ତି, ତାହେଲେ ସେ ରାଜ୍ୟ ସରକାର ଲାଗୁ କରୁଥିବା ଭାଟ୍କୁ କମ୍ କରନ୍ତୁ। 

ଆହୁରି ପଢ଼ନ୍ତୁ: Oil: ୬୦ ଦିନ ପାଇଁ ତେଲ ଅଛି: ଗୁଜବକୁ ବିଶ୍ବାସ ନ କରିବାକୁ ସରକାରଙ୍କ ପରାମର୍ଶ

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଜେପି ବିରୋଧୀ ଦଳରେ ଥିବା ସମୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରୁ ଭାଟ୍ ହ୍ରାସ ପାଇଁ ବାରମ୍ୱାର ଦାବି କରୁଥିଲା। ପେଟ୍ରୋଲ, ଡିଜେଲ ଉପରେ ସମସ୍ତ ରାଜ୍ୟ ସରକାରମାନଙ୍କ ଦ୍ୱାରା ଲାଗୁ କରାଯାଉଥିବା ଭାଟ୍ ଭିତରେ ଓଡ଼ିଶାର ଦର ସର୍ବାଗ୍ରେ ରହିଛି। ଏହା ଉପରେ ଓଡିଶା ସରକାରଙ୍କ ଦ୍ୱାରା ୨୮ ପ୍ରତିଶତ ଭାଟ ଲାଗୁ ହେଉଥିବା ବେଳେ, ମହାରାଷ୍ଟ୍ର ଦ୍ୱାରା ୨୫ ପ୍ରତିଶତ, ମଧ୍ୟ ପ୍ରଦେଶ ଦ୍ୱାରା ୨୫ ପ୍ରତିଶତ, ରାଜସ୍ଥାନ ଦ୍ୱାରା ୧୯ ପ୍ରତିଶତ ରହିଛି। ତେଣୁ, କେବଳ ଚିରାଚରିତ ଭାବେ କେନ୍ଦ୍ର ଦ୍ୱାରା କରାଯାଇଥିବା ଏକ୍ସସାଇଜ ଦର ହ୍ରାସକୁ ସ୍ୱାଗତ ନକରି, ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ଭାଟ୍ ହ୍ରାସ କରନ୍ତୁ ବୋଲି ଡ଼ ମହାନ୍ତି ଦାବି କରିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment