---Advertisement---

ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ

April 6, 2026 8:32 PM

ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ବାଚନ କମିସନଙ୍କ ଦ୍ବାରା ନିଯୁକ୍ତ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଏବଂ ରାଜ୍ୟର ଶୀର୍ଷ ଅମଲାଙ୍କୁ ଆଜି ସୁପ୍ରିମ୍‌କୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। ଗତ ସପ୍ତାହରେ ମାଲଦାରେ ୭ ଜଣ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ସମୟରେ କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଫୋନ୍‌ କଲ୍‌ ସେ ରିସିଭ୍‌ କରିନଥିବାରୁ ଆଜି ସୁପ୍ରିମ୍‌କୋର୍ଟ ତାଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ମୁଖ୍ୟ ସଚିବ ଦୁଷ୍ୟନ୍ତ ନାରିୟାଲା ଆଜି କୋର୍ଟରେ କହିଥିଲେ ଯେ, ସେ ବିମାନରେ ଥିଲେ ଏବଂ କୌଣସି ଫୋନ୍‌କଲ୍‌ ପାଇନଥିଲେ। ତାଙ୍କ ଆଇନଜୀବୀ ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରିବା ସମୟରେ ବିଚାରପତି ବିରକ୍ତି ଭାବ ଦେଖାଇ କହିଥିଲେ, ଦୟାକରି ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରନା। ଉଲ୍ଲେଖଯୋଗ୍ୟ ଯେ, ଦୁଷ୍ୟନ୍ତ ନାରିୟାଲାଙ୍କୁ ଗତ ସପ୍ତାହରେ ନିର୍ବାଚନ କମିସନ ନନ୍ଦିନୀ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଥିଲେ। ଏପ୍ରିଲ ୧ ତାରିଖରେ ମାଲଦାରେ ୭ ଜଣ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ ରଖାଯିବା‌ ସମୟରେ ସେ ଦାୟିତ୍ୱରେ ଥିଲେ।

ଆହୁରି ପଢନ୍ତୁ;PEO corruption Vigilance ୧୨ ଲକ୍ଷଟଙ୍କା ଆତ୍ମସାତ କରି ରତନପୁର ପିଇଓ ଗିରଫ

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାଲଦା ଘଟଣାକୁ ଯୋଜନାବଦ୍ଧ ଓ ଉଦ୍ଦେଶ୍ୟମୂଳକ କହିଛନ୍ତି। କୋର୍ଟ କହିଛନ୍ତି, ଏହି ମାମଲାରେ ସ୍ଥାନୀୟ ପୁଲିସ ଉପରେ ବିଶ୍ବାସ କରାଯାଇପାରିବନି। ଘଟଣାରେ ଏନ୍‌ଆଇଏ ତଦନ୍ତ ପାଇଁ ଏବଂ ଗିରଫ ହୋଇଥିବା ୨୬ ଜଣଙ୍କୁ ଏନ୍‌ଆଇଏ ଜେରା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ଜଣିଆ ଖଣ୍ଡପୀଠର ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଆଜି ମୁଖ୍ୟ ସଚିବଙ୍କ ଉପରେ ବର୍ଷି କହିଛନ୍ତି, ଆପଣଙ୍କ ସୁରକ୍ଷା ଏତେ ଉଚ୍ଚରେ ଯେ, ଜଣେ ହାଇକୋର୍ଟ ମୁଖ୍ୟ ବିଚାରପତି ମଧ୍ୟ ଆପଣଙ୍କ ପାଖରେ ପହଞ୍ଚି ପାରିବେ ନାହିଁ। ଦୟାକରି ଏହାକୁ ଟିକେ କମ୍‌ କରନ୍ତୁ। ଅସୁବିଧା କେଉଁଠି ରହିଲା? ଆପଣ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କଲ୍‌ ବି ଉଠାଉ ନାହାନ୍ତି। ଏହାପରେ ମୁଖ୍ୟ ସଚିବ କହିଥିଲେ ଯେ, ମୋ ଫୋନ୍‌କୁ କୌଣସି ଅଧିକାରୀଙ୍କ ଫୋନ୍‌ ଆସିନଥିଲା। ମୁଁ ଏକ ବୈଠକ ପାଇଁ ଦିଲ୍ଲୀ ଆସିଥିଲି। ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ମୁଁ ଏକ ବିମାନରେ ଥିଲି। 

ଆହୁରି ପଢନ୍ତୁ;Kala Baishakhi in Mayurbhanj କାଳ ବୈଶାଖୀ, ବଜ୍ରାଘାତରେ ନାବାଳକଙ୍କ ମୃତ୍ୟୁ ସନ୍ଦେହ

ଏହାପରେ ବିଚାରପତି କହିଥିଲେ ଯେ, ଯଦି ଆପଣ ମୋବାଇଲ୍ ନମ୍ବର ଓ ଅନ୍ୟାନ୍ୟ ବିବରଣୀ ସେୟାର କରିଥାନ୍ତେ ତେ‌ବେ ଆପଣ ସନ୍ଧ୍ୟାରୁ ଫୋନ୍‌ ପାଇଥାନ୍ତେ। ଏହାପରେ ଅଧିକାରୀ କ୍ଷମା ପ୍ରାର୍ଥନା କରିବାରୁ ଜଷ୍ଟିସ ବାଗଚୀ କହିଲେ, କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ କ୍ଷମା ମାଗ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ଏହା ଆପଣ ଓ ଆପଣଙ୍କ ପ୍ରଶାସନ ଉଭୟଙ୍କର ସମ୍ପୂର୍ଣ୍ଣ ବିଫଳତା। ଆପଣଙ୍କ କାର୍ଯ୍ୟାନୁଷ୍ଠାନ ଅଭାବରୁ, ଭାରତୀୟ ନିର୍ବାଚନ କମିସନ ଅସୁବିଧାର ସମ୍ମୁଖୀନ ହୋଇଛି। ଆପଣ ଭାରତୀୟ ନିର୍ବାଚନ କମିସନଙ୍କ ସହିତ ଯୋଗାଯୋଗ କରୁନାହାନ୍ତି, ଯାହା ଏଭଳି ଜରୁରିକାଳୀନ ପରିସ୍ଥିତିରେ ଆପଣଙ୍କୁ ନିର୍ଦ୍ଦେଶ ଦେବାର ଦାୟିତ୍ୱରେ ଅଛି ଏବଂ ଏହାଦ୍ବାରା ରାଜ୍ୟରେ ଏତେ ଅସୁବିଧା ଓ ଅଶାନ୍ତି ସୃଷ୍ଟି ହେଉଛି। ଏହା କି ପ୍ରକାରର ବିଶ୍ୱସନୀୟତା ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment