
ପାଟନା: ବିଜେପିର ବରିଷ୍ଠ ନେତା ସମ୍ରାଟ ଚୌଧୁରୀ ବୁଧବାର ବିହାରର ୨୧ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସମ୍ରାଟଙ୍କ ଯୁଗ ଆରମ୍ଭ ହୋଇଥିବାବେଳେ ବିହାରରେ ନୀତୀଶଙ୍କ ଯୁଗ ଶେଷ ହୋଇଛି। ଲୋକଭବନରେ ଏକ ସମାରୋହରେ ରାଜ୍ୟପାଳ ସୟଦ ଆତା ହସନେନ୍ ଚୌଧାରୀଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଜେପି ଓ ଜେଡିୟୁର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ବିହାରର ରାଜନୈତିକ ଦୃଶ୍ୟପଟ୍ଟରେ ଏହା ଏକ ବଡ଼ ପରିବର୍ତ୍ତନ। ବିଜେପି ପ୍ରଥମ ଥର ପାଇଁ ସିଧାସଳଖ ସରକାରର ଦାୟିତ୍ୱ ନେଇଛି।ରାଜ୍ୟସଭା ସାଂସଦ ଭାବେ ଶପଥ ନେବା ପରେ ମଙ୍ଗଳବାର ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ତାଙ୍କ କ୍ୟାବିନେଟ ଭଙ୍ଗ କରିବା ସହିତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଗତ ସରକାରରେ ସମ୍ରାଟ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପାଖରେ ଗୁରୁତ୍ବପୂର୍ଣ୍ଣ ଗୃହ ବିଭାଗ ରହିଥିଲା।
ଆହୁରି ପଢନ୍ତୁ;Hormuz system: ଅବରୋଧ ଭାଙ୍ଗିପାରିଲାନି, ହର୍ମୁଜ ପ୍ରଣାଳୀ ଫେରିଲା ‘ରିଚ୍ ଷ୍ଟାରି’
୨୦୧୭ରେ ବିଜେପିରେ ଯୋଗ ଦେଇଥିବା ସମ୍ରାଟ ଚୌଧୁରୀ ମଙ୍ଗଳବାର ବିଜେପି ବିଧାୟକ ଦଳ ନେତା ବଛା ଯାଇଥିଲେ। ବିହାରର ଜଟିଳ ରାଜନୈତିକ ଦୃଶ୍ୟପଟ୍ଟରେ ସମ୍ରାଟ ଚୌଧୁରୀଙ୍କର ପଦୋନ୍ନତି ଜାତିଗତ ଗୁରୁତ୍ୱ ବହନ କରେ। ଚୌଧାରୀ ପ୍ରଭାବଶାଳୀ କୋଏରୀ ସମ୍ପ୍ରଦାୟର ଦ୍ୱିତୀୟ ନେତା ଯିଏ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି। ଏହାପୂର୍ବରୁ ୧୯୬୮ ମସିହାରେ ମେଣ୍ଟ ସରକାରରେ ସତୀଶ ପ୍ରସାଦ ସିଂହ ମାତ୍ର ୫ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିପାରିଥିଲେ। କିନ୍ତୁ କଂଗ୍ରେସର ସମର୍ଥନ ପ୍ରତ୍ୟାହାର ପରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା। ଚୌଧୁରୀ ରାଜ୍ୟରେ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦରେ ରହିବାରେ ଭାରତ ରତ୍ନ କର୍ପୁରୀ ଠାକୁରଙ୍କ ରେକର୍ଡ଼ ସହିତ ସମକକ୍ଷ ହୋଇଛନ୍ତି। ତେବେ ରାଜ୍ୟ ରାଜନୀତିରେ ୫୭ ବର୍ଷୀୟ ସମ୍ରାଟ ଚୌଧୁରୀଙ୍କ ଉତ୍ଥାନ କୌଣସି ଚମତ୍କାରଠାରୁ କମ୍ ନୁହେଁ। ୧୯୯୯ ମସିହାରେ ଚୌଧୁରୀ ପ୍ରଥମେ ରାବ୍ଡ଼ୀ ଦେବୀଙ୍କ ସରକାରରେ ମନ୍ତ୍ରୀ ଭାବେ ସାମିଲ ହୋଇଥିଲେ। ସମ୍ରାଟଙ୍କ ମାତାପିତା ସମତା ପାର୍ଟିରୁ ଆର୍ଜେଡିରେ ଯୋଗ ଦେବାପରେ ପୁରସ୍କାର ଭାବେ ତାଙ୍କୁ କ୍ୟାବିନେଟ୍ରେ ସାମିଲ କରାଯାଇଥିଲା। କିନ୍ତୁ ତାଙ୍କ ବୟସକୁ ନେଇ ବିବାଦ ପରେ ରାଜ୍ୟପାଳ ସୁରଜ ଭାନ୍ ତାଙ୍କୁ ମନ୍ତ୍ରିପଦରୁ ହଟେଇ ଦେଇଥିଲେ।
ଆହୁରି ପଢନ୍ତୁ;Trump: ଟ୍ରମ୍ପଙ୍କ ଅବରୋଧ ବିଫଳ!: ଗୋଟିଏ କି ଦୁଇଟି ନୁହେଁ, ୫ କଳା ତାଲିକାଭୁକ୍ତ ଜାହାଜ ହର୍ମୁଜ୍ ପାର କଲେ, ଆମେରିକୀୟ ସେନା ସାଜିଲେ ନୀରବ ଦ୍ରଷ୍ଟା
ତେବେ ୨୦୦୦ ମସିହାରେ ସମ୍ରାଟ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଆର୍ଜେଡିର ମୁଖ୍ୟ ସଚେତକ ହୋଇଥିଲେ। କିନ୍ତୁ ୨୦୧୪ରେ ସମ୍ରାଟ ଆର୍ଜେଡି ଛାଡ଼ି ଜିତନ ରାମ ମାନଝୀଙ୍କ ଅଧୀନରେ କିଛି ସମୟ କାମ କରିଥିଲେ ଓ ନୀତୀଶ କୁମାର ଫେରିବା ପରେ ଦଳ ଛାଡି ଦେଇଥିଲେ। ୨୦୧୭ରେ ବିଜେପିରେ ଯୋଗ ଦେବାପରେ ତାଙ୍କ ରାଜନୈତିକ କ୍ୟାରିଅର ନୂଆ ଶୀର୍ଷ ଛୁଇଁଥିଲା। କୋଏରି ଓବିସି ଆଧାର ଦ୍ୱାରା ସମର୍ଥିତ ହୋଇ ସେ ରାଜ୍ୟ ଉପାଧ୍ୟକ୍ଷରୁ ଦଳର ମୁଖ୍ୟ ପର୍ଯ୍ୟନ୍ତ ରକେଟ୍ ଗତିରେ ଉନ୍ନତି କରିଥିଲେ ଓ ବିହାର ରାଜନୀତିରେ ଏକ ପ୍ରମୁଖ ଚେହେରା ଭାବରେ ଉଭା ହୋଇଥିଲେ। ନୀତୀଶ କୁମାରଙ୍କ ଦୃଢ଼ ବିରୋଧୀ ଭାବେ ଜଣାଣୁଣା ସମ୍ରାଟ ତାଙ୍କୁ ଗାଦିଚ୍ୟୁତ କରିବାକୁ ଶପଥ ନେଇଥିଲେ। ୨୦୨୪ ମସିହାରେ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହେବା ପରେ ସମ୍ରାଟ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ଗ୍ରହଣ କରି ଶୀଘ୍ର କ୍ଷମତାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ତାରାପୁରରୁ ତାଙ୍କର ନିର୍ବାଚନୀ ବିଜୟ ଏବଂ ଅମିତ ଶାହଙ୍କ ସମର୍ଥନ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ସମ୍ରାଟଙ୍କର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିଥିଲା।