
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିଏବେ ଦଳୀୟ ବିଭାଜନକୁ ନେଇ ଚର୍ଚ୍ଚାରେ ରହିଛି। ତେବେ ଦଳରେ ଆଉ ଏକ ବିରଳ ସଂଯୋଗ ଦେଖିବାକୁ ମିଳିଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ବ୍ୟବସାୟୀ ଅଶୋକ ମିତ୍ତଲଙ୍କ ଅଲଗା ହୋଇଯିବା ଘଟଣା। ଏପ୍ରିଲ ୨୪ରେ କେଜ୍ରିୱାଲ ଲୁଟିୟନ୍ସର ଦିଲ୍ଲୀ ବଙ୍ଗଳା ଛାଡ଼ିଥିଲେ। ଏହି ଘର ମିତ୍ତଲଙ୍କୁ ରାଜ୍ୟସଭା ସାଂସଦ ଭାବେ ମିଳିଥିଲା। ସେ କେଜ୍ରିୱାଲଙ୍କୁ ଗତ ବର୍ଷରୁ ଏହି ଘର ରହିବାକୁ ଦେଇଥିଲେ। କେଜ୍ରିୱାଲ ଘର ଛାଡ଼ିବାର କିଛି ଘଣ୍ଟା ମଧ୍ୟରେ ମିତ୍ତଲ ଆପ୍ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ଏହି ଘଟଣା ଜେକ୍ରିୱାଲଙ୍କ ପାଇଁ ଶକ୍ତ ଧକ୍କା ଥିଲା। କାରଣ କେଜ୍ରିୱାଲ ନିଜେ ବ୍ୟକ୍ତିଗତ ଭାବେ ମିତ୍ତଲଙ୍କୁ ଆପ୍ରେ ସାମିଲ କରିଥିଲେ।
ସୂଚନାଯୋଗ୍ୟ, ମିତ୍ତଲଙ୍କ ସମେତ ୭ ଜଣ ଆପ୍ ସାଂସଦ ବିଜେପିରେ ଯୋଗ ଦେଇଛନ୍ତି। କେଜ୍ରିୱାଲ ଦଳରେ ବିଭାଜନ ରୋକିବାକୁ ଶେଷ ଉଦ୍ୟମ ଭାବେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟସଭା ସାଂସଦମାନଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଏହି ବୈଠକ ହୋଇପାରିନଥିଲା। କେଜ୍ରିୱାଲ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ବିଜେପି ପଞ୍ଜାବୀମାନଙ୍କୁ ଶକ୍ତ ଝଟ୍କା ଦେଇଛନ୍ତି। ଲଭଲି ପ୍ରଫେସନାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ମିତ୍ତଲଙ୍କୁ କେଜ୍ରିୱାଲ ଆପ୍କୁ ଆଣିବା ସହିତ ୨୦୨୨ରେ ରାଜ୍ୟସଭା ଆସନ ଦେଇଥିଲେ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ସେପ୍ଟେମ୍ବର ୨୦୨୪ରେ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବା ପରେ ତାଙ୍କ ପାଖରେ ରହିବାକୁ ଘର ନଥିଲା। ସେ ୬ ଫ୍ଲାଗଷ୍ଟାଫ୍ ରୋଡରେ ଥିବା ମୁଖ୍ୟମନ୍ତ୍ରୀ ଆବାସ ଖାଲି କରିଦେଇଥିଲେ। ଏହି ଘରର ସାଜସଜ୍ଜାକୁ ନେଇ ବିଜେପି ସର୍ବଦା ଶୀଶ୍ ମହଲ ଆଖ୍ୟା ଦେଇ ସମାଲୋଚନା କରିଥାଏ। ମିତ୍ତଲ ଅକ୍ଟୋବର ୨୦୨୪ରେ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ, କେଜ୍ରିୱାଲ ଇସ୍ତଫା ଦେବା ପରେ ତାଙ୍କ ନିକଟରେ ରହିବାକୁ ଘର ନଥିବା ଜାଣିବାକୁ ପାଇଲି। ମୁଁ ତାଙ୍କୁ ମୋ ଦିଲ୍ଲୀ ବାସଭବନରେ ରହିବାକୁ ନିମନ୍ତ୍ରଣ କରିଥିଲି। ସେ ମୋ ଅନୁରୋଧ ରକ୍ଷା କରିଥିବାରୁ ମୋତେ ଖୁବ୍ ଖୁସି ଲାଗିଥିଲା।
ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କୁ ଖୁସି କରିବାକୁ ପ୍ରଧାନମନ୍ତ୍ରୀ କପା ଚାଷୀଙ୍କ ବଳି ଚଢ଼ାଉଛନ୍ତି: ଅରବିନ୍ଦ କେଜ୍ରିୱାଲ
କେଜ୍ରିୱାଲ ତାଙ୍କ ପରିବାର ସହିତ ୫ ଫିରୋଜଶାହ ରୋଡରେ ଥିବା ମିତ୍ତଲଙ୍କ ସରକାରୀ ବାସଭବନରେ ରହିଥିଲେ। ଏହାରି ନିକଟରେ ଆପ୍ର ମୁଖ୍ୟାଳୟ ଥିଲା। ସେ ସେଠାରେ ବର୍ଷେରୁ ଅଧିକ ସମୟ ରହିଥିଲେ। ଏପ୍ରିଲ ୨୦୨୬ରେ ରାଜ୍ୟସଭାରେ ଆପ୍ ଦଳର ଉପନେତା ଥିବା ରାଘବ ଚଢ଼ାଙ୍କ ସ୍ଥାନରେ ମିତ୍ତଲଙ୍କୁ ଉପନେତା କରିଥିଲା। ଏହାର କିଛି ଦିନ ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟବସାୟରେ ଆର୍ଥିକ ଅନିୟମିତତା ଦର୍ଶାଇ ମିତ୍ତଲଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା। କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଥିଲେ। ଏହି ଘଟଣାର ସପ୍ତାହକ ପରେ ମିତ୍ତଲ ଅନ୍ୟ ୬ ସଦସ୍ୟଙ୍କ ସହିତ ମିଶି ଆପ୍ ଛାଡ଼ି ଦେଇଛନ୍ତି। କେଜ୍ରିୱାଲ ଆପ୍ ମୁଖ୍ୟ ଭାବେ ଶୁକ୍ରବାର ମିତ୍ତଲଙ୍କ ଘର ଛାଡ଼ି ଲୋଧି ଇଷ୍ଟେଟରେ ଥିବା ଟାଇପ୍-୭ ଘରକୁ ଆସିଥିଲେ। ସେହି ସନ୍ଧ୍ୟାରେ ମିତ୍ତଲ ଆପ୍ ଛାଡ଼ି ଦେଇଥିଲେ।